ତାଲା ବନ୍ଦ ଉଜାଡି ଦେଲାଣି ବ୍ୟବସାୟ, ଦୁର୍ଦ୍ଦିନରେ କପଡା ବ୍ୟବସାୟୀ

ଖପ୍ରାଖୋଲ: କରୋନା ସଂକ୍ରମଣ ରୋକିବା ପାଇଁ ତାଲାବନ୍ଦ ହୋଇଥିବା ବେଳେ ସାପ୍ତାହିକ ହାଟ ସବୁ ବନ୍ଦ ହୋଇଯାଇଛି। ଫଳରେ ହାଟ ଉପରେ ନିର୍ଭର କରି ଚଳି ଆସୁଥିବା ବ୍ୟବସାୟୀମାନେ ଏବେ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛନ୍ତି। ଏହି ବ୍ଲକର ହରିଶଙ୍କର ବଜାର ବଣିକ ସଂଘର ବ୍ୟବସାୟୀ ମାନଙ୍କର ପରିବାର ଏବେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଥିବା ବେଳେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସୂଚନା ଯୋଗ୍ୟକି ତାଲା ବନ୍ଦ ପାଇଁ ଏବେ ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ, ତେଲେନପାଲି, ରେଙ୍ଗାଲି, ଚଚରାଭଟା, କପସିପାଲି, ମହରାପଦର, ଧଣ୍ଡାମୁଣ୍ଡା, ସାନଉଡେନ, ପୁତୁଲାମହୁଲ ଆଦି ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିଅଛି। ଏଥିଯୋଗୁଁ ବିଶେଷ କରି କପଡା ବ୍ୟବସାୟୀ ଏବଂ କଂସାବାସନ ବ୍ୟବସାୟୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ହରିଶଙ୍କର ବଣିକ ସଂଘର ବ୍ୟବସାୟୀମାନେ ବିଭିନ୍ନ ହାଟକୁ ଯାଇ ସେମାନେ କପଡା ଏବଂ କଂସାବାସନ ବେପାର କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର କରୋନା ଆସିବା ପରଠାରୁ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‍ ହୋଇଯାଇଛି। ଗତବର୍ଷ ତାଲା ବନ୍ଦ ପାଇଁ ଦୀର୍ଘଦିନ ଧରି ହାଟ ବନ୍ଦ ରହିବା ଯୋଗୁଁ ବ୍ୟବସାୟ ବନ୍ଦ ହୋଇଯାଇଥିଲା। ଏହି ସଂଘରେ ୧୮୦ ଜଣ ବ୍ୟବସାୟୀ ରହିଥିବା ବେଳେ ଏମାନଙ୍କ ପରିବାର ବର୍ତମାନ ଅର୍ଥ ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଜାଣିବାକୁ ମିଳିଛି। ଏପରିକି ପରିବାରର କେହି ଅସୁସ୍ଥ ହୋଇପଡିଲେ ଔଷଧ ଦେଇପାରୁନଥିବା ବେଳେ ଦୁଇ ଓଳି ଖାଇବା ମଧ୍ୟ କଷ୍ଟକର ହୋଇପଡିଥିବା ନେଇ ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି। ତୁରନ୍ତ ସାପ୍ତାହିକ ହାଟ ବସିବା ପାଇଁ ପ୍ରଶାସନ ନିଷ୍ପତି ନେଉ ନଚେତ ସେମାନଙ୍କୁ ଗାଁ ଗାଁ ବୁଲି ବିକ୍ରି କରିବାକୁ ଅନୁମତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥି ସହିତ ଏହି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ସହିତ ଆର୍ଥିକ ସହାୟତା ଯୋଗାଇଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି।

ସେମାନେ ଯାହା କହନ୍ତି…
ଅରୁଣ ଗଡତ୍ୟା, ସଭାପତି, ହରିଶଙ୍କର ବଜାର ବଣିକ ସଂଘ
ତାଲା ବନ୍ଦ ପରେ ଆମ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସରକାର ଅନ୍ୟମାନଙ୍କୁ ଯେପରି ସହାୟତା ଦେଉଛନ୍ତି ଆମ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା କରିବା ଉଚିତ।

ମିନିକେତନ ମେହେର, ଉପ ସଭାପତି
ବେପାର ବନ୍ଦ ହୋଇଯାଇଥିବାରୁ ଏବେ ପରିବାର ଚଳେଇବା କଷ୍ଟକର ହୋଇପଡିଲାଣି। ସରକାର ଆମ୍ଭଙ୍କୁ ଭତ୍ତା କିମ୍ବା ଆର୍ଥିକ ସହାୟତା ଦିଅନ୍ତୁ।

ବିଶ୍ୱଜିତ ସାହୁ, ବରିଷ୍ଠ ସଭ୍ୟ
ଗତ ଏକ ବର୍ଷ ଧରି ଆମେ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛୁ। ଏପରିକି ପରିବାରର କେହି ଅସୁସ୍ଥ ହେଲେ ଆମେ ଔଷଧ ଟିକେ ଦେଇପାରୁନାହୁଁ। ତେଣୁ ସରକାର ଆମ ପାଇଁ କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରନ୍ତୁ।

ଜୀବର୍ଦ୍ଧନ ଗଡତ୍ୟା, ରେଙ୍ଗାଲି ବଜାର ସଭାପତି
ଆମେ ବ୍ୟବସାୟୀମାନେ ଦୟନୀୟ ଅବସ୍ଥାରେ ଅଛୁ। ବେପାର ପାଇଁ ଯେଉଁମାନେ ଋଣକରି ଗାଡି ଆଣିଥିଲେ ସେମାନେ କିସ୍ତି ଦେଇପାରୁନାହାନ୍ତି। ସରକାର ସେମାନଙ୍କ ପାଇଁ ଋଣ ଛାଡ କରିବା ଉଚିତା।

Comments are closed.