ବିଲ୍‌ଡରଙ୍କ ଦାଦାଗିରି, ପାଚେରି ଭାଙ୍ଗି ପରିବାର ଲୋକଙ୍କୁ ଆକ୍ରମଣ

ଖଣ୍ଡଗିରି: ଏକ ବିବାଦୀୟ ଜମିରେ ଜଣେ ବିଲ୍‌ଡର ରବିବାର ସକାଳୁ ବୁଲଡୋଜର ଲଗାଇ ପାଚେରି ଭାଙ୍ଗିବା ସହ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିବା ଘଟଣା ପାତ୍ରପଡ଼ା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ତେବେ ବିଲ୍‌ଡରଙ୍କ ଆକ୍ରମଣରେ ଆହତ ପରିବାର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା କରାଇଛି।

ସୂଚନାଯୋଗ୍ୟ ଯେ, ପାତ୍ରପଡ଼ା ମୌଜାରେ ଥିବା ଏକ ଜମିକୁ ନେଇ ପାରିବାରିକ ବିବାଦ ଲାଗି ରହିଛି। ଅଦାଲତରେ ମାଲିକାନାକୁ ନେଇ ମାମଲା ମଧ୍ୟ ବିଚାରାଧୀନ ରହିଛି। ଉକ୍ତ ଜମିକୁ ସୀମାଦ୍ରି ସୁଜିତ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ ୨୦୨୦ରେ କିଣିଛନ୍ତି। ହେଲେ ଉକ୍ତ ଜମିରେ ଗତ ୩୦ ବର୍ଷ ହେବ ବିନୋଦ ବିହାରୀ ପଟ୍ଟନାୟକ ଓ ତାଙ୍କ ଦୁଇ ଭାଇ ପରିବାର ସହ ରହୁଛନ୍ତି। ଆଜି ଭୋର୍‌ ପ୍ରାୟ ୫ଟାରେ ବୁଲଡୋଜର ସହ ଜଣେ ବିଲ୍‌ଡର ୩୦ରୁ ୪୦ ଜଣ ମହିଳା ଏବଂ ଗୁଣ୍ଡା ନେଇ ତାଙ୍କ ଘର ନିକଟରେ ପହଞ୍ଚିଥିଲେ। କିଛି ବୁଝିବା ପୂର୍ବରୁ ବୁଲଡୋଜର ଲଗାଇ ବିନୋଦଙ୍କ ପାଚେରି ଭାଙ୍ଗିଥିଲେ। ପ୍ରତିବାଦ କରିବାରୁ ବିଲ୍‌ଡର ଓ ତାଙ୍କ ଗୁଣ୍ଡାମାନେ ବିନୋଦ ବିହାରୀଙ୍କ ଘରେ ପଶି ଆକ୍ରମଣ କରିଥିଲେ। ବିନୋଦଙ୍କ ଝିଆରୀ, ପତ୍ନୀ, ଭାଇବୋହୂ ଓ ପୁତୁରାକୁ ମାଡ଼ ମାରି ଲହୁଲୁହାଣ କରିପକାଇଥିଲେ। ବିନୋଦଙ୍କ ପରିବାର ଲୋକଙ୍କ ପାଟିଶୁଣି ପଡ଼ୋଶୀ ଲୋକ ପଳାଇଆସିବାରୁ ବିଲ୍‌ଡରଙ୍କ ସମେତ ତାଙ୍କ ଗୁଣ୍ଡାମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏନେଇ ବିନୋଦ ବିହାରୀ ଖଣ୍ଡଗିରି ଥାନାରେ ଏତଲା କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଲାଗିଥିବା ଚିତ୍ର ଉତ୍ତୋଳନ ଯନ୍ତ୍ର ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Comments are closed.