ଖଣ୍ଡଗିରି ମେଳାରେ ଖାଦ୍ୟ ଷ୍ଟଲ୍‌ ଯାଞ୍ଚ : ୮୦ କେ.ଜି ଖାଦ୍ୟ ନଷ୍ଟ

ଜୋରିମାନା ଗଣିଲେ ମାଲିକ

ଭୁବନେଶ୍ବର : ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗର ଯାଞ୍ଚ ଦଳ ଖଣ୍ଡଗିରି ମେଳାର ଖାଦ୍ୟ ଷ୍ଟଲ୍‌ଗୁଡ଼ିକ ଯାଞ୍ଚ କରିଛି। ଷ୍ଟଲ୍‌ରେ ଅପରିଷ୍କାର ପରିବେଶ ସହିତ ବାସି ଖାଦ୍ୟ ବିକ୍ରି ହେଉଥିବାରୁ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରି ବିଭିନ୍ନ ଷ୍ଟଲ୍‌ରୁ ୬୦ରୁ ୮୦ କେଜି ଖାଦ୍ୟ ନଷ୍ଟ କରିଛନ୍ତି। ଅଧିକାରୀମାନେ ମେଳାର ସମସ୍ତ ଖାଦ୍ୟ ଷ୍ଟଲ ବୁଲି ଖାଦ୍ୟର ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ଦିଗ ଯାଞ୍ଚ କରିଥିଲେ। କେତେକ ଷ୍ଟଲରେ ବାସି ଖାଦ୍ୟ ବିକ୍ର ହେଉଥିବା ବେଳେ ଅନ୍ୟ କେତେକ ଷ୍ଟଲ୍‌ରେ ଖାଦ୍ୟ ପ୍ରସ୍ତୁତି ପାଇଁ ବାସି(ଗତକାଲି ପ୍ରସ୍ତୁତ ହୋଇଥିବା) ଜିନିଷ ରଖାଯାଇଥିଲା। ଏଗୁଡ଼ିକ ଜବତ ହେବା ସହିତ ନଷ୍ଟ କରାଯାଇଛି। ସେହିପରି ସାନିଟାରୀ ଅଧିକାରୀ ମଧ୍ୟ ମେଳା ପରିଚ୍ଛନ୍ନତା ଯାଞ୍ଚ କରିଥିଲେ। ଅନେକ ଷ୍ଟଲ୍‌ରେ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି ବିକ୍ରି ହେଉଥିବାରୁ ଯାଞ୍ଚ କରାଯାଇ ମାଲିକଙ୍କଠୁ ଜୋରିମାନା ଆଦାୟ ହୋଇଛି। ପରିମଳ ବ୍ୟବସ୍ଥା ଏବଂ ଖାଦ୍ୟ ସୁରକ୍ଷା ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଯାଞ୍ଚ ଦଳଗୁଡ଼ିକରେ ଖାଦ୍ୟ ସୁରକ୍ଷା ଅଧିକାରୀ, ସାନିଟାରୀ ଅଧିକାରୀ ଏବଂ ସହଯୋଗୀ କର୍ମଚାରୀଙ୍କ ସହିତ ପୁଲିସ କର୍ମଚାରୀ ସାମିଲ ଥିଲେ। ମେଳାରେ ଅସୁରକ୍ଷିତ ଭାବେ ବିଭିନ୍ନ ଫାଷ୍ଟଫୁଡ୍‌ ଷ୍ଟଲରେ ଖାଦ୍ୟ ବିକ୍ରି ହେଉଥିବା ନେଇ ବୁଧବାର ‘ସମାଜ’ରେ ଖବର ପ୍ରକାଶ ପାଇଥିଲା।

Comments are closed.