ଜମିବ ଖଣ୍ଡଗିରି ମେଳା : ହୋର୍ଡିଂରେ ଯାତ୍ରାଯୁଦ୍ଧ, ୬ ପେଣ୍ଡାଲରେ ୧୨ ପାର୍ଟି

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଜମିବ ଖଣ୍ଡଗିରି କୁମ୍ଭମେଳା। ଐତିହାସିକ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାରେ ସାଧୁ ସନ୍ନ୍ୟାସୀଙ୍କ ଭିଡ଼ ଜମିବ। ଓଁକାର ଶବ୍ଦରେ ପରିବେଶ ପ୍ରକମ୍ପିତ ହେବ। ବିଶିଷ୍ଟ ମହାଯୋଗ ତିଥିରେ ଚଳିତବର୍ଷ ମେଳା ପଡୁଥିବାରୁ ୩ ହଜାରରୁ ଅଧିକ ସାଧୁସନ୍ଥ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ୧୦୮ ପୂର୍ଣ୍ଣ କୁମ୍ଭର ପୁଣ୍ୟଜଳ ସହିତ ଖଣ୍ଡଗିିରିରେ ବିଶ୍ବ କଲ୍ୟାଣମୟୀ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଆରମ୍ଭ ହେବ। ପ୍ରତ୍ୟେକ ଦିନ ଧର୍ମାଲୋଚନା ସାଙ୍ଗକୁ ବୈଦିକ ରୀତିନୀତିରେ ସମସ୍ତ କାର୍ଯ୍ୟକ୍ରମ କରାଯିବ। ବାବା ପଞ୍ଚଦେବ ଉତ୍କଳୀୟ ସନାତନ ଧର୍ମ ପରିଷଦ ଭଳି ଅନେକ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ସାଧୁସନ୍ଥ ମେଳାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

୬ ପେଣ୍ଡାଲରେ ୧୨ ପାର୍ଟି : ଫେବୃଆରୀ ୧ରେ ପାହାଡ଼ ଉପରେ ସାଧୁଙ୍କ ମେଳ ସହ ଫେବୃଆରୀ ୫ରୁ ୬ ଯାତ୍ରା ପେଣ୍ଡାଲରେ ୧୨ ପାର୍ଟି ବିଭିନ୍ନ ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇବେ। ସ୍ଥାନ ଅଭାବରୁ ବାରଭୁଜା ଯାତ୍ରା କମିଟି ଏବର୍ଷ ଯାତ୍ରା ପରିବେଷଣରୁ ଓହରି ଯାଇଥିବା କମିଟି ତରଫରୁ ସୂଚନା ଦିଆଯାଇଛି। ଦର୍ଶକଙ୍କୁ ମନଛୁଆଁ ନାଟକ ଭେଟି ଦେବାକୁ ସମସ୍ତ ଯାତ୍ରା କମିଟି ଦମ୍‌ ଲଗାଇ ଦେଇଛନ୍ତି। ଯୁବପିଢ଼ିଙ୍କ ମନ ଜିଣିଲା ଭଳି ଯାତ୍ରା ମଞ୍ଚ ହେବ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଯାତ୍ରାପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ରାସ୍ତା କଡ଼ରେ ହୋର୍ଡିଂ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯାତ୍ରା ମହାସମର ପାଇଁ ଅପେରା ମଞ୍ଚରେ ବାଉଁଶ ବନ୍ଧା ଆରମ୍ଭ ହୋଇଯାଇଛି।
ଘାଟିକିଆ ସନାତନ ସେବା ସଦନ ବିଭିନ୍ନ ପର୍ଯ୍ୟାୟରେ କୋଣାର୍କ, ଇନ୍ଦ୍ରଭୁବନ ଓ ଧଉଳି ଗଣନାଟ୍ୟକୁ ନେଇ ଯାତ୍ରା ପରିବେଷଣ କରିବ। ସେହିପରି ଡ. ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ମଞ୍ଚରେ ମାୟାନଗରୀ, ତୁଳସୀ ଗଣନାଟ୍ୟ ଓ ସ୍ବର୍ଣ୍ଣମହଲ ଯାତ୍ରା ପରିବେଷଣ କରିବେ। ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ କଳିଙ୍ଗ ଗଣନାଟ୍ୟ ଓ ଶିବାନୀ ଗଣନାଟ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ସେହିପରି ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ସ୍ବପ୍ନ ମହଲ ଓ ରଙ୍ଗମହଲ ଯାତ୍ରା ପରିବେଷଣ କରିବ।
ଜୟ ଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଅପେରା ସୂର୍ଯ୍ୟ ମନ୍ଦିର ଓ ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ରାଜଧାନୀ ଅପେରା ଯାତ୍ରା ପରିବେଷଣ କରିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

Comments are closed.