ଆଇଏସ୍‍ଆଇ ଇଙ୍ଗିତରେ ନାଚୁଛି ଖଲିସ୍ଥାନ ଲିବରେସନ୍‍ ଫ୍ରଣ୍ଟ : ଏନ୍‍ଆଇଏ

0

ନୂଆଦିଲ୍ଲୀ : ଅମୃତସର ନିରଙ୍କରୀ ଭବନରେ ରବିବାର ଆତଙ୍କବାଦୀ ଆକ୍ରମଣ ପରେ ପଞ୍ଜାବରେ ଆତଙ୍କବାଦର ନୂଆ ଯୁଗ ଆରମ୍ଭ ପାଇଁ ଆଇଏସ୍‍ଆଇ ଚଳାଇଥିବା ଷଡ଼ଯନ୍ତ୍ର ପଦାକୁ ଆସିଛି। ଏହି ଆକ୍ରମଣ ପଛରେ ଥିବା ଖଲିସ୍ଥାନ ଲିବରେସନ୍‍ ଫ୍ରଣ୍ଟ (କେଏଲଏଫ୍‍) ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ପ୍ରୋତ୍ସାହନରେ ଖଲିସ୍ଥାନ ଆନ୍ଦୋଳନର ପୁନରୁତ୍ଥାନ ପାଇଁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି। ଲାହୋରର ବିବି ନାନ୍‍କି ଗୁରୁଦ୍ୱାରରେ ୨୦୦୮ରୁ ଅବସ୍ଥାନ କରୁଥିବା ହରମିତ୍‍ ସିଂହ ‘ପିଏଚ୍‍ଡି’ ଏହାର ନେତୃତ୍ୱ ନେବା ସହ ଆଇଏସ୍‍ଆଇ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଜଣାପଡ଼ିଛି। ହରମିତ୍‍ ‘ସ୍କାଇପି’ ମାଧ୍ୟମରେ ନିଜର ଅନୁଗାମୀଙ୍କୁ ନିୟନ୍ତ୍ରଣ କରୁଛି। ଇଟାଲୀରେ ଅବସ୍ଥାପିତ ଶିଖ୍‍ ଯୁବକ ହରଦୀପ ସିଂହକୁ ସେ ପ୍ରମୁଖ ସହଯୋଗୀ ଭାବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛି। ଅମୃତସର ବିସ୍ଫୋରଣରେ ଜଡ଼ିତ ବିକ୍ରମଜିତ ସିଂହ ଓ ଅବତାର ସିଂହ ତାରି ସୃଷ୍ଟି ବୋଲି ଏବେ ସ୍ପଷ୍ଟ ହୋଇଛି।
ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‍ଆଇଏ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଉଗ୍ରବାଦୀ ସଂଗଠନ କେଏଲଏଫ୍‍ ୧୯୮୦ରୁ ସକ୍ରିୟ ଥିଲେ ମଧ୍ୟ ପରିସ୍ଥିତି ଚାପରେ ସୁପ୍ତ ରହିଥିଲା। ଆଇଏସ୍‍ଆଇ ୨୦୦୯ରେ ଏହାକୁ ମାଳେସିଆରେ ପୁନର୍ଜୀବନ ଦେଇଥିଲା। କେଏଲଏଫ୍‍ର କାରବାର ନେଇ ଏନ୍‍ଆଇଏ ପୂର୍ବରୁ ସୂଚନା ଦେଇଥିଲା। ପଞ୍ଜାବରେ ୨୦୧୬-୨୦୧୭ରେ ଜଣେ ଧର୍ମଯାଜକ ଓ ଆରଏସ୍‍ଏସ୍‍ କର୍ମୀଙ୍କ ସହ ମୋଟ ୮ଟି ହତ୍ୟାକାଣ୍ଡ ତଥା ହତ୍ୟା ଉଦ୍ୟମ ପଛରେ ଏହି ସଂଗଠନର ହାତ ଥିଲା ବୋଲି ଏନ୍‍ଆଇଏ ଦର୍ଶାଇଥିଲା। କେଏଲଏଫ୍‍ ଖଲିସ୍ଥାନ ଆନ୍ଦୋଳନର ପ୍ରତିରୂପ ଭାବେ ୧୯୮୬ରେ ଅରୁର ସିଂହ ଦ୍ୱାରା ସ୍ଥାପିତ ହୋଇଥିଲା ଏବଂ ୧୯୯୪ରୁ ହିଂସାକାଣ୍ଡ ଘଟାଇବାରେ ସକ୍ରିୟ ଭୂମିକା ନିଭାଇ ଆସୁଛି ବୋଲି ଏନ୍‍ଆଇଏ ପକ୍ଷରୁ କୁହାଯାଇଛି। ବିଶେଷ କରି ଶିଖ୍‍ ପାନ୍ଥିକ୍‍ କମିଟିରୁ ବହିଷ୍କୃତ ହେବା ପରେ ଅରୁର ସିଂହ କେଏଲଏଫ୍‍ ଛତା ତଳେ ‘ମାଇ ଭାଗୋ ରେଜିମେଣ୍ଟ’ ଗଠନ କରିଥିଲା। ଏଥିରେ ସର୍ବଭାରତୀୟ ଶିଖ୍‍ ଛାତ୍ର ମହାସଂଘକୁ ଅସ୍ତ୍ରଶସ୍ତ୍ର ଧରାଇ ସାମିଲ କରିଥିଲା। ୧୯୮୬ରେ ଅରୁର୍‍ର ମୃତ୍ୟୁ ହୋଇଥିଲା ଏବଂ ପରବର୍ଷ ଅବତାର ସିଂହ ବ୍ରହ୍ମା ସଂଗଠନର ନେତୃତ୍ୱ ନେଇଥିଲା। ୧୯୮୮ରେ ରାଜସ୍ଥାନରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ବ୍ରହ୍ମାର ମୃତ୍ୟୁ ହେବା ପରେ ଗୁରଜନ୍ତ ସିଂହ ବୁଦ୍ଧ ସିଂହୱାଲା ସଂଗଠନର ଦାୟିତ୍ୱ ନେଇଥିଲା। ୧୯୯୨ରେ ଗୁଳିବିନିମୟରେ ତାକୁ ହତ୍ୟା କରାଯିବା ପରେ ଡଃ ପ୍ରୀତମ ସିଂହ ସେଖୋଁ କେଏଲଏଫ ମୁଖ୍ୟ ହୋଇଥିଲା। ୧୯୯୪ରେ ପ୍ରୀତମ୍‍ର ପାକିସ୍ତାନରେ ମୃତ୍ୟୁ ହୋଇଥିବା ପ୍ରକାଶ।
ସଂଗଠନରେ ସକ୍ରିୟ ଥିବା ସନ୍ଦୀପ ସିଂହ ଓରଫ ଯଶବୀର ସିଂହ ୨୦୦୯ରେ ମାଳେସିଆ ଯାଇ ହରମିନ୍ଦର ସିଂହ ମିଣ୍ଟୋ, ବକ୍‍ସିସ୍‍ ସିଂହ ଓ ଦଲଜିତ୍‍ ସିଂହ ଖାଲ୍‍ସାଙ୍କୁ ଭେଟିଥିଲା। ୨୦୧୦ରେ ମିଣ୍ଟୋକୁ ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଦାୟିତ୍ୱ ଦିଆଯାଇଥିଲା। ୨୦୧୪ରେ ମିଣ୍ଟୋକୁ ଥାଇଲାଣ୍ଡରୁ ଗିରଫ ସହ ଭାରତ ଅଣାଯାଇଥିଲା। ପଞ୍ଜାବର ନାଭା ଜେଲ୍‍ରେ ରଖାଯାଇଥିବାବେଳେ ସେ ୨୦୧୬ ନଭେମ୍ବରରେ ଖସିପଳାଇଥିଲା। ତାକୁ ପୁନର୍ବାର ଗିରଫ କରାଯାଇଥିଲେ ମଧ୍ୟ ଜେଲ୍‍ରେ ତାର ହୃଦ୍‍ଘାତରେ ମୃତ୍ୟୁ ହୋଇଥିଲା।
ଏଭଳି ପରିସ୍ଥିତି ସତ୍ତ୍ବେ କେଏଲଏଫ୍‍ ସାମ୍ପ୍ରଦାୟିକ ଆଧାରରେ ଖଲିସ୍ଥାନ ଆନ୍ଦୋଳନକୁ ପୁନରୁଜ୍ଜୀବନ ଦେବା ପାଇଁ ଉଦ୍ୟମ କରୁଛି ଓ ଏଥିପାଇଁ ଉଦ୍ୟମ ଚଳାଇଆସିଛି। ମୂଳ ଖଲିସ୍ଥାନ ଆନ୍ଦୋଳନର ମୁଖ୍ୟ ଜର୍ଣ୍ଣାଲ ସିଂହ ଭିନ୍ଦ୍ରନ୍‍ୱାଲେର ଚିନ୍ତାଧାରାକୁ ଯଦିଓ ଏବେକାର ସଂଗଠନ ଗ୍ରହଣ କରୁ ନାହିଁ; ତଥାପି ଶିଖ୍‍ ବିରୋଧୀ ମନୋଭବ ପୋଷଣ କରୁଥିବା ବ୍ୟକ୍ତି ଓ ଶକ୍ତିଙ୍କୁ ଏହା ନିଶାଣ କରୁଛି। ଏହାକୁ ଆଧାର କରି ପଞ୍ଜାବରେ ପୁନର୍ବାର ଅଶାନ୍ତି ସୃଷ୍ଟି ପାଇଁ ପାକିସ୍ତାନର ଆଇଏସ୍‍ଆଇ ଗତ କିଛି ବର୍ଷ ଧରି କେଏଲଏଫ୍‍କୁ ସବୁପ୍ରକାର ପ୍ରୋତ୍ସାହନ ଯୋଗାଇଆସୁଛି।

Leave A Reply