ନବଗଠିତ ଜାତୀୟ ଶିକ୍ଷା ନୀତି ଏକ ଯୁଗାନ୍ତକାରୀ ପଦକ୍ଷେପ
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଜାତୀୟ ସ୍ତରୀୟ ୱେବନାର

ଗୋପାଳପୁର:ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଆୟୁକ୍ୟୁଏସି ସେଲ ପକ୍ଷରୁ, ଜାତୀୟ ଶିକ୍ଷା ନୀତି ୨୦୨୦ ସମନ୍ଧୀୟ ଏକ ଜାତୀୟ ସ୍ତରୀୟ ୱେବିନାର ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଆଜି ଅନୁଷ୍ଠିତ ଆଲୋଚନା ଚକ୍ର ତଥା ୱେବିନାରରେ ୧୨୫୭ ଜଣ ଅଂଶଗ୍ରହଣକାରୀ ଗୁଗୁଲ ମିଟ ଓ ଫେସବୁକ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। କୋଭିଡ-୧୯ ସଙ୍କଟ ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷା ନୀତି ଓ ସମ୍ପ୍ରସାରଣ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକା ଏବଂ ଏହାର ଭବିଷ୍ୟତ ରୂପରେଖ ଉପରେ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ନବଗଠିତ ଜାତୀୟ ଶିକ୍ଷା ନୀତି ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ସାମଗ୍ରିକ ପ୍ରତିଶ୍ରୁତି ବଦ୍ଧତା ହିଁ ଏହାର ସଫଳ ରୂପାୟନର ମୂଳମନ୍ତ୍ର ଅଂଶ ଗ୍ରହଣ କରିଥିବା ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ।
କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ୱେବ୍ନାର୍ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତିର ସଫଳ ମୂଲ୍ୟାୟନ ପ୍ରଯୁକ୍ତିବିଦ୍ୟା ଓ ଗବେଷଣା ପାଇଁ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ହରିୟାଣା ଋଷହୂଡ଼ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳେଶ ମିଶ୍ର କହିଥିଲେ ଯେ ଶିକ୍ଷାର ସ୍ତର ଓ ପାଠ୍ୟ ଖସଡ଼ା ବହୁମୁଖୀ କରିବା ଦ୍ୱାରା ଅଭିନବିକରଣ ଓ ସୃଜନଶୀଳତା ମାଧ୍ୟମରେ ଭାରତ ୨୦୪୦ ସୁଦ୍ଧା ବହୁମୁଖୀ ପ୍ରତିଭା ମାନଙ୍କ ଦେଶ ହୋଇପାରିବ। ପିପୁଲ ବିଶ୍ୱବିଦ୍ୟାଳୟର ଡିନ ରିସର୍ଚ୍ଚ ପ୍ରଫେସର ଦିନେଶ ରାଜୋରୀୟ ଉଚ୍ଚଶିକ୍ଷାର ଢାଞ୍ଚାରେ ପରିବର୍ତ୍ତନ ପୂର୍ବରୁ ଉଚ୍ଚଶିକ୍ଷା ସଂସ୍ଥାମାନଙ୍କର ଵିନ୍ୟାସରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଥିଲେ। ‘କନସୋଟିୟମ ଅଫ ଗ୍ଲୋବାଲ ପ୍ରଫେସନାଲ ଇନ ଏଜୁକେସନ ମ୍ୟାନେଜମେଣ୍ଟ’ର ଉପାଧକ୍ଷା ପ୍ରଫେସର ସୁରଭି ଆରୋରା ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଶିକ୍ଷା ମାର୍ଗରେ ଥିବା ପାଠ୍ୟସୂଚୀ ଓ ଶିଳ୍ପରେ ବିନିଯୋଗ ହେଉଥିବା ଦକ୍ଷତା, ଜ୍ଞାନ ଓ ସାମର୍ଥ୍ୟ ମଧ୍ୟରେ ଥିବା ଅନ୍ତରାୟକୁ ଏହି ଶିକ୍ଷାନୀତି ନିଶ୍ଚିତ କରକରିବା ଉଚିତ ବୋଲି କହିଥିଲେ। ସ୍ନାତକୋତ୍ତରର ପରିଷଦର ଅଧ୍ୟକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଜାତୀୟ ପାଠଚକ୍ରର ଆବାହକ ତଥା ଆୟୁକ୍ୟୁଏସି ସେଲର ନିର୍ଦେଶକ ଡ.ମୃତ୍ୟୁଞ୍ଜୟ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ.ଶାରଦା ପ୍ରସାଦ ସାହୁ ସଭାକୁ ସଂଯୋଜନା କରିଥିଲେ। ଅଧ୍ୟାପିକା ଡ.ଜୋସ୍ନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।