ଜଳସେଚନ ଦାବିରେ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ସାନମହେଶ୍ୱର ଏବଂ ବରଗାଁ ପଞ୍ଚାୟତର ଚାଷୀ ନିଜ ଜମିରେ ତିଖାଲି ଡ୍ୟାମରୁ ମେଗା ପ୍ରକଳ୍ପରେ ସାମିଲ ନେଇ ପ୍ରତିବାଦ କରିଛନ୍ତି। ଏ ନେଇ ସୋମବାର ସାନମହେଶ୍ୱର ଓ ବରଗାଁ ପଞ୍ଚାୟତର ଶତାଧିକ ଚାଷୀ ଖଡିଆଳ-ନୂଆପଡା ୩୫୩ ନଂ ଜାତୀୟ ରାଜପଥର ସାନମହେଶ୍ୱର ଛକ ଠାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହି ପ୍ରତିବାଦ ଦିର୍ଘ ୬ ଘଣ୍ଟା ଧରି ଚାଲୁ ରହିଥିବା ବେଳେ ଅବରୋଧ ଯୋଗୁଁ ୩୫୩ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଥିଲା। ଫଳରେ ପ୍ରବଳ ଖରା ଯୋଗୁଁ ଦୂରଦୁରାନ୍ତର ଯାତ୍ରୀ ମାନେ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନ ଖବର ପାଇ ଖଡିଆଳ ତହସିଲଦାର ସିନ୍ଧୁସୁତା ପାତ୍ର, ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କେନାଲ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ୱେତା ଜାଲୀ, ଖଡିଆଳ ଆଇଆଇସି କୈଳାସ ଚନ୍ଦ୍ର ସେଠୀ ପହଞ୍ଚି ଆନ୍ଦୋଳନରତ ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ। ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପର କେନାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ୱେତା ଜାଲୀ ୨ ଗୋଟି ପଞ୍ଚାୟତର ଚାଷୀ ମାନଙ୍କୁ ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗକୁ ଜଣାଇବା ପାଇଁ ପ୍ରତିଶ୍ରୃତି ଦେବା ପରେ ଆନ୍ଦୋଳନରତ ଚାଷୀ ମାନେ ଆନ୍ଦୋଳନରୁ ଓହରିଥିଲେ।
ସୂଚନା ଥାଉକି ନୂଆପଡା ଜିଲାର ଖଡିଆଳ ଏବଂ କୋମନା ବ୍ଲକର ମଧ୍ୟସ୍ଥଳରେ ତିଖାଲି ଡ୍ୟାମ ନିର୍ମାଣ ହୋଇଛି। ଏହି ତିଖାଲି ଡ୍ୟାମରୁ କେନାଲ ଯୋଗେ ବଲାଙ୍ଗିର ଜିଲାର ୧୬୦୦ ହେକ୍ଟର ଜମି ଏବଂ ନୂଆପଡା ଜିଲାର ୧୩୦୦ ହେକ୍ଟର ଜମି ଜଳସେଚନ ହେବାର ଲକ୍ଷ୍ୟ ରହିଛି। କିନ୍ତୁ ଦୀପତଳ ଅନ୍ଧାର ଭଳି ତିଖାଲି ଡ୍ୟାମର ପାଖ ଅଞ୍ଚଳରେ ଡ୍ୟାମର ପାଣି ଛଡା ଯାଉନାହିଁ। ଫଳରେ ଅଞ୍ଚଳର ଚାଷି ମାନେ ପାଣି ପାଇଁ ଆନ୍ଦୋଳନ କରି ଆସୁଛନ୍ତି। ଚଳିତ ବର୍ଷ ମେଗା ଯୋଜନାରେ ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ତିଖାଲି ଡ୍ୟାମରୁ ପାଣି ଲାଗୁନଥିବା ଅଞ୍ଚଳରେ ଚାଷୀ ମାନଙ୍କ ପାଇଁ ପାଣି ଯୋଗାଇ ଦିଆଯାଉଛି। ହେଲେ ଏହି ମେଗା ଯୋଜନାରେ ସାନମହେଶ୍ୱର ପଞ୍ଚାୟତର ଝୋଲପଥର, ସୁନାମୁଦି, ବଡମହେଶ୍ୱର, କୁଲିଗାଁ, ରଜାମୁଣ୍ଡା, ଦେଓବାହାଲ ଓ ପଡୋଶୀ ପଞ୍ଚାୟତ ବରଗାଁ ପଞ୍ଚାୟତର ପୋଡାପାଲି, ଡୁମେରବାହାଲ, ଠେଲକୋଡୁଙ୍ଗୁରୀ, କାଶିପଲା, ବେନ୍ଦ୍ରାବାହାଲ ଓ ବରଗାଁ ଗ୍ରାମର ସମସ୍ତ ଚାଷ ଜମିରେ ପାଣି ଲାଗୁନାହି। ଯାହା ଫଳରେ ଚାଷୀ ମାନେ ବାଧ୍ୟ ହୋଇ ଆନ୍ଦୋଳନରେ ଓଲ୍ଲାଇଥିବା ପ୍ରକାଶ କରିଛନ୍ତି। ସୋମବାର ଏହି ଆନ୍ଦୋଳନରେ ସାନମହେଶ୍ୱର ଆଞ୍ଚଳିକ କୃଷକ ସଙ୍ଗଠନର ସଭାପତି ଗୌତମ ତାଣ୍ଡି, ଉପ ସଭାପତି ବିଦୁର ଶବର, ସମ୍ପାଦକ ମନୁ ଶବର, ସହ ସମ୍ପାଦକ ଜଗତରାମ ଶବର, କୋଷାଧ୍ୟକ୍ଷ ରବି ବନଛୋର, ବରିଷ୍ଠ ସଦସ୍ୟ ଗୌତମ ମୁଣ୍ଡ, ରାଜକୁମାର ତାଣ୍ଡି, ତୁଲେଶ୍ୱର ହେର୍ଣ୍ଣା, ପୂର୍ଣ୍ଣଚନ୍ଦ୍ର ଶବର ସମେତ ବରଗାଁ ପଞ୍ଚାୟତର ଭୂବନ ସିଂ ପଟେଲ, ଶରତ ମୁଣ୍ଡ, ଗଜ ପଟେଲ, ଦେବେନ୍ଦ୍ର ମାଝୀ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Comments are closed.