ବିଦ୍ୟୁତ ଆଘାତରେ ଭାଲୁ ମୃତ

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ ଲର୍କା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଏକ ଭାଲୁ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତ୍ରରେ ପ୍ରବଳ ବର୍ଷା ସହ ପବନ ବୋହିବାରୁ ଜଙ୍ଗଲ ପାଖ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ହେଲେ ସେହିପଟୁ ବଣ୍ୟପ୍ରାଣୀ ଭାଲୁ ଅତିକ୍ରମ କରୁଥିବା ବେଳେ ଛିଣ୍ଡା ବିଦ୍ୟୁତ ତାରକୁ କାମୁଡି ଦେଇଥିଲା। ଯାହାଫଳରେ ବିଦ୍ୟୁତ ପ୍ରବାହିତ ହେଉଥିବା ତାର ଲାଗି ଘଟଣାସ୍ଥଳରେ ଭାଲୁଟିର ମୃତ୍ୟୁ ହୋଇଯାଇଥିବା ନେଇ ଖଡିଆଳ ଉପ-ପ୍ରାଣୀ ଚିକିତ୍ସାଧିକାରୀ ଆର୍ଯ୍ୟ ପ୍ରକାଶ ପଣ୍ଡା ପ୍ରକାଶ କରିଛନ୍ତି। ଖବର ପାଇ ବନ ବିଭାଗ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରି ଶବ ବ୍ୟଭଚ୍ଛେଦ ପରେ ପୋତି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦିନକୁ ଦିନ ବନ୍ୟ ଜୀବଯନ୍ତୁଙ୍କୁ ବିଭିନ୍ନ ଉପାୟରେ ହତ୍ୟା କରାଯାଉଥିବାରୁ ପରିବେଶପ୍ରେମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।