ଜୁଲାଇ ୧୬ରେ ରିଲିଜ୍ ହେବ ‘କେଜିଏଫ୍‍-୨’

ନୂଆଦିଲ୍ଲୀ: ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭୀନିତ ‘କେଜିଏଫ୍‍-୨’ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏବଂ ଫିଲ୍ମର ନିର୍ମାତା ଏହି ବହୁପ୍ରତୀକ୍ଷିତ ଫିଲ୍ମ ଜୁଲାଇରେ ରିଲିଜ୍ ହେବ ବୋଲି ଟ୍ବିଟ କରି ଜଣାଇଛନ୍ତି।

ତରଣ ଆଦର୍ଶ ଟ୍ଵିଟ୍ କରି କହିଛନ୍ତି, ‘କେଜିଏଫ୍‍-୨’ ୨୦୨୧ ଜୁଲାଇ ୧୬ରେ ରିଲିଜ୍ ହେବ। ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ୟଶ, ଶ୍ରୀନିଧି ସେଟ୍ଟି ଓ ରବିନା ଟଣ୍ଡନ ପ୍ରମୁଖ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାରେ ରିଲିଜ୍ ହେବ। ହିନ୍ଦୀରେ ଏହା ରିତେଶ ସିଧଓ୍ଵାନୀ ଓ ଫରହାନ ଅଖତର, ଏକ୍ସେଲ ଏଣ୍ଟରଟେନମେଣ୍ଟର ଦ୍ଵାରା ସିନେମାଘରକୁ ଆସିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ୍ ଏବଂ ନିର୍ମାତା ହେଉଛନ୍ତି ବିଜୟ କିରଗନ୍ଦୁର।

ସୂଚନା ଅନୁଯାୟୀ, ସଞ୍ଜୟ ଦତ୍ତ ୬୦ତମ ଜନ୍ମଦିନ ଅବସରରେ ତାଙ୍କ ଅଭିନୀତ ଆଗାମୀ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ୍‍-୨’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଥିଲା। ନିଜେ ସଞ୍ଜୟ ଇନ୍‍ଷ୍ଟାଗ୍ରାମ୍‍ ଜରିଆରେ ଏହି ପୋଷ୍ଟର ରିଲିଜ୍‍ କରିଥିଲେ। ଏହି ପୋଷ୍ଟର ସହିତ ୟଶ ସଞ୍ଜୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ମୁକ୍ତିଲାଭ କରିଥିବା ‘କେଜିଏଫ୍‍ ଚ୍ୟାପ୍ଟର-୧’ର ଅଦମ୍ୟ ସଫଳତା ପରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଯୋଜନା କରିଥିଲେ।

Comments are closed.