ଛକା ମାରି ନିଜ କାର୍‍ର କାଚ ଭାଙ୍ଗିଲେ ଓ’ବ୍ରାଇନ୍‍

ଡବ୍‍ଲିନ : ଏଠାରେ ଚାଲିଥିବା ଆୟରଲାଣ୍ଡର ଘରୋଇ ଟ୍ୱେଣ୍ଟି୨୦ ଲିଗ୍‍ରେ ଆୟରଲାଣ୍ଡ ଜାତୀୟ ଦଳର ବ୍ୟାଟ୍‍ସମ୍ୟାନ୍‍ କେଭିନ୍‍ ଓ’ବ୍ରାଇନ୍‍ ଏପରି ବିଶାଳ ଛକା ମାରିଥିଲେ ଯେ ଯାହା ଷ୍ଟାଡିୟମ୍‍ ବାହାରେ ଥିବା ତାଙ୍କ କାର୍‍ର ଝରକା କାଚକୁ ଭାଙ୍ଗି ଚୁରମାର କରି ଦେଇଥିଲା। ଆନ୍ତର୍ଜାତିକ କ୍ରିକେଟ୍‍ରେ ମଧ୍ୟ ଓ’ବ୍ରାଇନ୍‍ ଜଣେ ବିସ୍ଫୋରକ ବ୍ୟାଟ୍‍ସମ୍ୟାନ୍‍ ଭାବେ ପରିଚିତ। ବିଶାଳ ଛକା ମାରିବାରେ କେଭିନ୍‍ ଓ’ବ୍ରାଇନ୍‍ ସିଦ୍ଧହସ୍ତ। ଗୁରୁବାର ଆୟରଲାଣ୍ଡର ଘରୋଇ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଓ’ବ୍ରାଇନ୍‍ ଲିନ୍‍ଷ୍ଟର ଲାଇଟ୍‍ନିଙ୍ଗ୍‍ ପାଇଁ ନର୍ଥ-ୱେଷ୍ଟ ୱାରିଅର୍ସ ବିପକ୍ଷରେ ଖେଳୁଥିଲେ। ଏହି ଇନିଂସରେ ଓ’ବ୍ରାଇନ୍‍ ମାତ୍ର ୩୭ ବଲ୍‍ରୁ ୮ଟି ଛକା ସହ ୮୨ ରନ୍‍ କରିଥିଲେ। ଏଥିରୁ ଓ’ବ୍ରାଇନ୍‍ ମାରିଥିବା ଗୋଟିଏ ଛକା ଷ୍ଟାଡିୟମ୍‍ ବାହାରେ ରଖିଥିବା ତାଙ୍କ କାର୍‍ର ଝରକାରେ ବାଜିଥିଲା। କ୍ରିକେଟ୍‍ ଆୟରଲାଣ୍ଡ ଏହି ଘଟଣାକୁ ଟ୍ୱିଟର ପୃଷ୍ଠାରେ ସ୍ଥାନିତ କରିଛି।

Comments are closed.