କଣ୍ଟେନରରୁ ଅମ୍ଳଜାନ ନିଷ୍କାସନ, ଦୀର୍ଘ ସମୟ ଅଟକି ରହିଲା ଟ୍ରେନ

କେସିଙ୍ଗା/ବୋରିଆ: ରେଳ ଯୋଗେ ୧୦ଟି କଣ୍ଟେନରରେ ଅମ୍ଳଜାନ ରାଉରକେଲାରୁ ଚେନ୍ନଇ ଯାଉଥିବା ବେଳେ ଗୋଟିଏ କଣ୍ଟେନରରୁ ଅମ୍ଳଜାନ ନିଷ୍କାସିତ (ଲିକେଜ୍‌) ହେବା ଯୋଗୁଁ ଟ୍ରେନ୍‌ଟି ଦୀର୍ଘ ସମୟ ଧରି କେସିଙ୍ଗା ଷ୍ଟେସନରେ ଅଟକି ରହିଥିଲା। ରାଉରକେଲାରୁ ସ୍ୱତନ୍ତ୍ର ଦଳ ଆସି କଣ୍ଟେନରକୁ ମରାମତି କଲା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛି। ମିଳିଥିବା ସୂଚନା ଅନୁସାରେ ଗତ ୮ ତାରିଖ ରାତି ପ୍ରାୟ ୧୨ଟା ୧୦ରେ ଅମ୍ଳଜାନ ବୋଝେଇ ଉକ୍ତ ଟ୍ରେନ୍‌ଟି କେସିଙ୍ଗା ଷ୍ଟେସନରେ ପହଞ୍ଚିଥିଲା।

 

ତେବେ ଗୋଟିଏ କଣ୍ଟେନରରୁ ଅମ୍ଳଜାନ ନିଷ୍କାସିତ ହେଉଥିବା ଦେଖିବାକୁ ପାଇ କେସିଙ୍ଗା ଷ୍ଟେସନରୁ ରେଳବାଇ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଏହା ସହିତ କେସିଙ୍ଗା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅମ୍ଳଜାନ ନିଜେ ନ ଜଳିଲେ ମଧ୍ୟ ଜଳିବାରେ ସାହାଯ୍ୟ କରିଥାଏ। ତେଣୁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ରହିଥିଲେ। ସକାଳେ ରାଉରକେଲାରୁ ରେଳ ରକ୍ଷଣାବେକ୍ଷଣ ଅଧିକାରୀ ସମିର ସାହୁ ଏବଂ ନିର୍ବାହୀ ଅଧିକାରୀ ବିନୋଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମରାମତି କଲାପରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛି। ସେଫ୍ଟିକ ୱାରରେ ଅତ୍ୟଧିକ ଚାପ ଯୋଗୁଁ ଏଭଳି ହୋଇଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ରେଳବାଇ ସୁରକ୍ଷା ବଳ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.