୪୨୦୦୦ ଲିଟର ପିଡିଏସ କିରାସିନ ଜବତ : ୯ ଟ୍ୟାଙ୍କର, କାର୍‌, ମିନି ଟ୍ରକ୍‌ ଜବତ, ୪ ଗିରଫ

ଭୁବନେଶ୍ବର : ବହୁ ଦିନରୁ ପିଡିଏସ୍‌ କିରାସିନ ଚୋରାଚାଲାଣକାରୀଙ୍କ ପିଛାରେ ପଡ଼ିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିଡିଏସ୍‌ କିରାସିନ ଜବତ କରିବା ପରେ ଏହାର ମୂଳ ଖୋଜିବାକୁ ଯାଇ ଏସ୍‌ଟିଏଫ ସୋମବାର ରାତିରେ ମଙ୍ଗୁଳି ଛକ ନିକଟ ତାରିଣୀ ଗ୍ୟାରେଜ୍‌ରୁ ୪୨ହଜାର ଲିଟର ପିଡିଏସ୍‌ କିରାସିନ ଜବତ କରିଛି। ଏଥିସହିତ ଏଠାରେ ଅପମିଶ୍ରଣ ପାଇଁ ଥିବା ସାମଗ୍ରୀ, ଟଙ୍କା ଓ ଗାଡ଼ିକୁ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ତେବେ ଏହି ଅପମିଶ୍ରଣ ଓ ଚୋରା କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗ୍ୟାରେଜ୍‌ ମାଲିକ ଏସ୍‌ଟିଏଫ୍ ହାବୁଡ଼ରୁ ଖସି ପଳାଇବାରେ ସକ୍ଷମ ହୋଇଛି।
ପିଡିଏସ୍‌(ସାଧାରଣ ବଣ୍ଟନ ବ୍ୟବସ୍ଥା) କିରାସିନ୍‌ ବାଟମାରଣା ଓ ଚୋରା ପିଡିଏସ୍‌ କିରାସିନ୍‌ ଜବତ ଘଟଣା ଅନେକ ସମୟରେ ପଦାକୁ ଆସିଥାଏ। ଯୋଗାଣ ବିଭାଗ କେତେବେଳେ ୨୦୦୦ କିମ୍ବା ୫୦୦୦ ଲିଟର ଚୋରା ପିଡିଏସ୍‌ କିରାସିନ୍ ଜବତ କରୁଥିଲା। ହେଲେ ଗୁଇନ୍ଦା ସୂଚନାକୁ ଭିତ୍ତିକରି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଏକ ଟିମ୍‌ ସୋମବାର ରାତିରେ କଟକ ମଙ୍ଗୁଳି ଛକ ନିକଟରେ ଥିବା ମା’ ତାରିଣୀ ଗ୍ୟାରେଜ୍‌ରେ ଚଢ଼ଉ କରିଥିଲା। ଗ୍ୟାରେଜ୍‌ ନିକଟରେ ଏକାଧିକ ଟ୍ୟାଙ୍କର ଥୁଆ ହୋଇଥିଲା। ଏସ୍‌ଟିଏଫ୍‌ ଟିମ୍‌କୁ ଦେଖିବା ପରେ କିଛି ଟ୍ୟାଙ୍କର ଚାଳକ ଘଟଣାସ୍ଥଳରୁ ଲୁଚି ପଳାଇଥିଲେ। ତେବେ ଏସ୍‌ଟିଏଫ୍‌ ଟିମ୍‌ର ସନ୍ଦେହ ବଢ଼ିଥିଲା। ଯାଞ୍ଚ କରାଯିବା ବେଳେ ଟ୍ୟାଙ୍କର ଏବଂ କିଛି ବ୍ୟାରେଲ୍‌ରେ ପିଡିଏସ କିରାସିନ ଥିବା ଦେଖାଯାଇଥିଲା। ସେସବୁକୁ ଯାଞ୍ଚ କରାଯିବା ବେଳେ ୪୨୦୦୦ ଲିଟର ନୀଳ ରଙ୍ଗର କିରାସିନ ଥିବା ଜଣାପଡିଥିଲା। ଏସବୁ ପିଡିଏସ କିରାସିନ ବୋଲି ସ୍ପଷ୍ଟ ହୋଇଥିଲା। ଏହି କିରାସିନକୁ ଡିଜେଲ କିମ୍ବା ପେଟ୍ରୋଲରେ ମିଶ୍ରଣ କରାଯିବାକୁ ରଖାଯାଇଥିଲା ବୋଲି ଡିଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି।
ରାଜ୍ୟରେ ପ୍ରଥମ ଥର ଲାଗି ଏତେ ପରିମାଣର ଚୋରା ପିଡିଏସ କିରାସିନ ଜବତ ହୋଇଛି ବୋଲି ଡିଆଇଜି ଶ୍ରୀ ପଙ୍କଜ କହଛନ୍ତି। ପିଡିଏସ୍‌ କିରାସିନ୍‌ର କଳାବଜାରୀ ରୋକିବା ଲାଗି ଏହାକୁ ନୀଳ ରଙ୍ଗ କରାଯାଇଥିଲା। ଫଳରେ ଏହାର କଳାବଜରୀ ଏବଂ ଏହାକୁ ଅନ୍ୟ କୌଣସି ଇନ୍ଧନରେ ଅପମିଶ୍ରଣ କରାଯାଇ ପାରିବ ନାହିଁ। ହେଲେ ଏକ ପ୍ରକାର ରାସାୟନିକ ଦ୍ରବ୍ୟ ମିଶାଯାଇ ଏହାକୁ ସ୍ବଚ୍ଛ କରାଯିବା ପରେ ଇନ୍ଧନରେ ମିଶ୍ରଣ କରାଯାଉଥିଲା ବୋଲି ସେ କହିଛନ୍ତି।
ଏସ୍‌ଟିଏଫ୍‌ର ଏସ୍‌ପି ପ୍ରଶାନ୍ତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅତିରିକ୍ତ ଏସ୍‌ପି ଟି. ଆର. ପଟେଲଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ରଞ୍ଜନ କୁମାର ବେହେରା, ନିରାକାର ବେଉରା ଓ ମନୋରଞ୍ଜନ ବେହେରା ବିଦ୍ୟାଧର ସାମଲ ନାମକ ୪ ଜଣଙ୍କୁ ଏସ୍‌ଟିଏଫ୍ କାବୁ କରିଥିଲା। ସେମାନଙ୍କର ଘର କଟକ। ଗ୍ୟାରେଜ୍‌ ନିକଟରେ ଥିବା ୯ଟି ଟ୍ୟାଙ୍କରକୁ ଜବତ କରାଯାଇଛି। ଚଢ଼ଉ ବେଳେ ଗ୍ୟାରେଜ୍‌ର ମାଲିକ ବୁଲୁ ବେହେରା ଖସି ଯାଇଥିଲେ। ତେବେ ଏହସବୁ କଳାବଜାରୀର ସେ ମାଷ୍ଟର ମାଇଣ୍ଡ୍‌ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ଏକ ଇଗ୍‌ନିସ୍‌ କାର୍‌, ଟାଟା ମାଜିକ୍‌, ୩ଟି ବିଦ୍ୟୁତ୍‌ ମୋଟର, ହୋଣ୍ଡା ଜେନେରେଟର, ୪ଟି ଖାଲି ଡ୍ରମ୍‌, ପ୍ଲାଷ୍ଟିକ୍‌ ପାଇପ୍‌ ଓ ନୀଳ ରଙ୍ଗର କିରାସିନ୍‌କୁ ଧଳା କରିବାକୁ ଏକ ରାସାୟନିକ ଦ୍ରବ୍ୟ ଏବଂ ୨୯,୭୦୦ ଟଙ୍କା ଜବତ କରାଯାଇଛି। ଏହି କଳାବଜାରୀରେ ସମ୍ପୃକ୍ତଙ୍କ ବିରୋଧରେ ଅତ୍ୟାବଶ୍ୟକ ଆଇନ୍‌ ଓ ଷଡ଼ଯନ୍ତ୍ର ପାଇଁ ଚୌଦ୍ବାର ଥାନାରେ ମାମଲା ରୁଜୁ କରାଯାଇଛି।
କେମିତି ଚାଲିଥିଲା କାରବାର
ଯୋଗାଣ ବିଭାଗ ଅଧୀନରେ ବିଭିନ୍ନ ଅଞ୍ଚଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନୀଳ ରଙ୍ଗର କିରାସିନ ଲୋକମାନଙ୍କୁ ଯୋଗାଇ ଦିଆଯାଇଥାଏ। ତେବେ ଏସବୁ କିରାସିନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକ ସେଥିରୁ ବହୁ ପରିମାଣରେ ବାଟମାରଣା କରିଥା’ନ୍ତି। ଟ୍ୟାଙ୍କରରୁ ଏସବୁକୁ ବିଦ୍ୟୁତ୍‌ ମୋଟର ଲଗାଇ କଢ଼ାଯାଇ ଡ୍ରମ୍‌ରେ ଭର୍ତ୍ତି କରାଯାଇଥାଏ। ସେସବୁକୁ କଲକାତାରୁ ଏକ ରାସାୟନିକ ଦ୍ରବ୍ୟ ଅଣାଯାଇ ମିଶ୍ରଣ କରାଯାଇଥାଏ। ଫଳରେ କିରାସିନ ପୂରା ଧଳା ହୋଇଯାଇଥାଏ। ଏହି ଧଳା କିରାସିନକୁ ଡିଜେଲ ଓ ପେଟ୍ରୋଲରେ ମିଶ୍ରଣ କରାଯାଇଥାଏ। ପେଟ୍ରୋଲ ଓ ଡିଜେଲର ମୂଲ୍ୟ ତୁଳନାରେ କିରାସିନର ମୂଲ୍ୟ ପ୍ରାୟତଃ ଅଧା। ତେଣୁ ଏହାକୁ ଇନ୍ଧନରେ ମିଶ୍ରଣ କରାଯାଇ ଅଧିକ ଲାଭ ଉପାର୍ଜନ କରାଯାଇଥାଏ।

Comments are closed.