କିରୋସିନି ଦର ୨ ଟଙ୍କା ୧୯ ପଇସା କମିଲା

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ସରକାର କିରୋସିନି ମୂଲ୍ୟରେ ଲିଟର ପିଛା ୨ ଟଙ୍କା ୧୯ ପଇସା ହ୍ରାସ ଘଟାଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଏଡିଏସ୍) ବା କେଣ୍ଟ୍ରାଲ ଦୋକାନ ଜରିଆରେ ଗରିବ ଲୋକଙ୍କୁ ବିକ୍ରି କରାଯାଉଥିବା କିରୋସିନି ଦରରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଏହି ହ୍ରାସ କରିଛନ୍ତି। ଏହାଫଳରେ ସେପ୍ଟେମ୍ବରରେ କିରୋସିନି ଲିଟର ପିଛା ୨୫ ଟଙ୍କା ୮୪ ପଇସା ରହିଥିବାବେଳେ ଏବେ ଏହା ୨୩ ଟଙ୍କା ୬୫ ପଇସାକୁ ହ୍ରାସ ଘଟିଥିବା ଭାରତୀୟ ତୈଳ ନିଗମ(ଆଇଓସି)ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଦିଲ୍ଲୀର ସମସ୍ତ ଅଞ୍ଚଳରେ ଏଲ୍୍ପିଜି ଏବଂ ପିଏନ୍ଜି ଜରିଆରେ ଗ୍ୟାସ୍ ଯୋଗାଣ ପରେ ସେଠାରେ ୨୦୧୬ ଜୁଲାଇଠାରୁ ପିଡିଏସ୍ ଜରିଆରେ କିିରୋସିନି ବିକ୍ରି କରାଯାଉନାହିଁ। ଅପରପକ୍ଷେ ତୈଳ କମ୍ପାନୀଗୁଡିକ ବିମାନ ଇନ୍ଧନ (ଏଟିଏଫ୍) ମୂଲ୍ୟରେ କିଲୋଲିଟର ପିଛା ୭୧୯.୨୫ ଟଙ୍କା ବୃଦ୍ଧି ଘଟାଇ ଏହାକୁ କିଲୋଲିଟର ପିଛା ୪୦,୨୧୧.୭୮ ଟଙ୍କା କରିଛନ୍ତି। ତେବେ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ।