କେରଳ ରାଜ୍ୟ ଶିକ୍ଷା ବୋର୍ଡ ପରୀକ୍ଷା ଆରମ୍ଭ

ସମାଜ ପୋର୍ଟାଲ ଡେସ୍କ: କେରଳ ରାଜ୍ୟ ଶିକ୍ଷା ବୋର୍ଡ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। କୋଭିଡ ନାଇଣ୍ଟିନ୍‍ ସଂକ୍ରମଣ ଯୋଗୁଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଆଜି ସକାଳୁ ବୃତ୍ତିଗତ ଉଚ୍ଚମାଧ୍ୟମିକ ପରୀକ୍ଷାର ପ୍ରଥମ ସିଟିଙ୍ଗ ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିବାର ଜଣାପଡ଼ିଛି। ଦଶମ ଶ୍ରେଣୀ, ପ୍ଲସ୍‍ ୱାନ୍‍ ଓ ପ୍ଲସ୍‍ ଟୁ ପରୀକ୍ଷାରେ ୯ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ପରୀକ୍ଷା ବୋର୍ଡରେ ପରୀକ୍ଷା ଦେଉଛନ୍ତି। ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାହା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଥର୍ମାଲ୍‍ ସ୍କ୍ରିନିଙ୍ଗ, ପରୀକ୍ଷା କେନ୍ଦ୍ର ପରିସରକୁ ଜୀବାଣିମୁକ୍ତ କରିବା, ଶାରୀରିକ ଦୂରତା ବଜାୟ ରଖିବାର କଡ଼ାକଡ଼ି ପାଳନ, ବଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବା ଓ ସାନିଟାଇଜରରେ ହାତ ସଫା କରିବା ପ୍ରଭୃତି ଅନ୍ତର୍ଭୁକ୍ତ। ଏହି ପରୀକ୍ଷା ପାଇଁ ୫ହଜାର ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀମାନେ ଯେପରି ସହଜରେ ଆସି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ, ସେଥିପାଇଁ ସ୍ୱତନ୍ତ୍ର ପରିବହନ ସୁବିଧା ଯୋଗାଇ ଦିଆଯାଉଛି। ପରୀକ୍ଷାର୍ଥୀମାନଙ୍କ ଯିବା ରାସ୍ତାକୁ ପୋଲିସ୍‍ ପକ୍ଷରୁ ଯାନବାହାନ ଭିଡ଼ରୁ ମୁକ୍ତ ରଖାଯିବା ପାଇଁ ପ୍ରୟାସ କରାଯାଉଛି। ଯେଉଁମାନେ ପରୀକ୍ଷା ଦେଇପାରି ନାହାନ୍ତି, ସେମାନେ SAY ଅର୍ଥାତ୍‍ ସେଭ୍‍ ଏ ଇୟର୍‍ ଲେଖି ଜଣାଇବେ। ସେମାନଙ୍କ ପାଇଁ ପରେ ପରୀକ୍ଷାର ବ୍ୟବସ୍ଥା କରାଯିବ।

Comments are closed.