କେରଳରେ ‘ସମାଜ’ ରିଲିଫ୍‌ କମିଟିର ପ୍ରଶଂସନୀୟ କାର୍ଯ୍ୟ : ତିନି ପ୍ରକଳ୍ପ ଉଦ୍‌ଘାଟିତ, ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ

ତିରୁଅନନ୍ତପୁରମ୍‌ (ବିଶେଷ ପ୍ରତିନିଧି) : କେରଳ ବନ୍ୟା ୨୦୧୮ରେ କ୍ଷତିଗ୍ରସ୍ତ ଜନତାଙ୍କ ପାଇଁ ଆଜି ପଥନମଥିଟା ଜିଲାରେ ‘ସମାଜ’ ରିଲିଫ୍‌ କମିଟି ତରଫରୁ ତିନିଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ। ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପଥନମଥିଟା ଜିଲାର କୁଟୁର, ପେରିଙ୍ଗାଲା ଓ ନିରଣମ ଗ୍ରାମପଞ୍ଚାୟତରେ ପ୍ରକଳ୍ପଗୁଡ଼ିକ ରହିଛି। ପ୍ରଥମେ କୁଟୁର ପଞ୍ଚାୟତର ପ୍ରକଳ୍ପଗୁଡ଼ିକ ଉଦ୍‌ଘାଟିତ ହୋଇଥିଲା। କୁଟୁରରେ ଶ୍ରୀ ମାଲବ୍ୟ ପହଞ୍ଚିବା ପରେ ସ୍ଥାନୀୟ ଜନତା ସ୍ବାଗତ କରିଥିଲେ। ଏହି ଅବସରରେ କୁଟୁମ୍ବଶ୍ରୀ ଦ୍ବାରା ଆୟୋଜିତ ମହିଳା ସମ୍ମିଳନୀର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପରେ ଗତ ବନ୍ୟାରେ ଭୁଶୁଡ଼ି ପଡ଼ିଥିବା କୁଟୁର ବହୁମୁଖୀ ମହିଳା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ‘ସମାଜ’ ରିଲିଫ କମିଟି ତରଫରୁ ୪.୫ ଲକ୍ଷ ଟଙ୍କା ବ୍ୟୟରେ ଦୁଇ ମହଲା ବିଶିଷ୍ଟ ମହିଳା ବହୁମୁଖୀ କେନ୍ଦ୍ରର ପୁନର୍ନିର୍ମାଣ କରାଯାଇଛି। ସେହିପରି ଏହା ପରେ କୁଟୁର ପଞ୍ଚାୟତ ଅନ୍ତର୍ଗତ ପାଣ୍ଡାସେରାଠାରେ ପୁନର୍ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା। ବନ୍ୟାରେ ଏହି ଅଙ୍ଗନବାଡ଼ି କେନ୍ଦ୍ର ସମ୍ପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇ ଭୁଶୁଡ଼ି ପଡ଼ିଥିଲା। ‘ସମାଜ’ ରିଲିଫ କମିଟି ତରଫରୁ ୪.୫ ଲକ୍ଷ ଟଙ୍କା ବ୍ୟୟରେ ଅଙ୍ଗନବାଡ଼ି କେନ୍ଦ୍ରର ପୁନର୍ନିର୍ମାଣ କରାଯାଇଛି।
ପେରିଙ୍ଗାଲ ପଞ୍ଚାୟତ କାରକେଲ ଗ୍ରାମରେ ‘ସମାଜ’ ରିଲିଫ କମିଟି ତରଫରୁ ୪.୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାନୀୟ ବୟସ୍କ ବ୍ୟକ୍ତିଙ୍କ ପାଇଁ ପୁନର୍ନିର୍ମିତ ପାଠାଗାରକୁ ଉଦ୍‌ଘାଟନ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ମାଲବ୍ୟ। ଗତ ବନ୍ୟାରେ ପାଠାଗାରଟି ସମ୍ପୂର୍ଣ୍ଣ ବୁଡ଼ିଯାଇ ଭୁଶୁଡ଼ି ପଡ଼ିିଥିଲା। ବନ୍ୟା ପୀଡ଼ିତ ମହିଳାଙ୍କ ଦକ୍ଷତା ବିକାଶ ଓ ରୋଜଗାର ବୃଦ୍ଧି ପାଇଁ ନିରଣମ ପଞ୍ଚାୟତର ବନିଆ ଏଣ୍ଟରପ୍ରିନୋର ଡେଭଲପ୍‌ମେଣ୍ଟ ସେଣ୍ଟର ଫର ୱମେନ୍‌ ଆଣ୍ଡ ଚିଲ୍‌ଡ୍ରେନ୍‌ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ। ପ୍ରକଳ୍ପରେ ୩ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଶ୍ରୀ ମାଲବ୍ୟ କହିଥିଲେ ଯେ କେରଳ ବନ୍ୟା ପରେ ପୁନର୍ନିର୍ମାଣ ଓ ଜୀବିକା ପୁନରୁଦ୍ଧାର ପାଇଁ ‘ସମାଜ’ ରିଲିଫ୍‌ କମିଟିର ପ୍ରକଳ୍ପଗୁଡ଼ିକ ଦ୍ବାରା ଛୋଟ ପିଲାଙ୍କ ସମେତ ଆର୍ଥିକସ୍ତରରେ ଦୁର୍ବଳ ପରିବାରଗୁଡ଼ିକ ବିଶେଷଭାବେ ଉପକୃତ ହେବେ। କେରଳରେ ‘ସମାଜ’ ରିଲିଫ କମିଟି କାର୍ଯ୍ୟ ବିଷୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ମାଲବ୍ୟ ଏକ ପ୍ରେସ୍‌ମିଟ୍‌ ଜରିଆରେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସଷ୍ଟନେବଲ ଡେଭଲପ୍‌ମେଣ୍ଟ ଆଣ୍ଡ ଗଭର୍ଣ୍ଣନସର ଅଧ୍ୟକ୍ଷ ଜନ୍‌ ସାମୁଏଲ, କୁଟର ପଞ୍ଚାୟତ ଅଧ୍ୟକ୍ଷ ଶ୍ରୀଲେଖା ରଘୁନାଥ, ନିରଣମ ପଞ୍ଚାୟତ ଅଧ୍ୟକ୍ଷ ଲତା ପ୍ରସାଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Comments are closed.