ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇ କେରଳ ପୂଜାରୀ ଗିରଫ

0

ଥିରୁବନନ୍ତପୁରମ୍‍ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କେରଳ ପୁଲିସ ସୋମବାର ରାଜ୍ୟର ଜଣେ ପୂଜାରୀଙ୍କୁ ଗିରଫ କରିଛି। ରାଷ୍ଟ୍ରପତି ସମ୍ପ୍ରତି ତିନିଦିନିଆ କେରଳ ଗସ୍ତରେ ଅଛନ୍ତି। ମଙ୍ଗଳବାର ସେ ଥିସୁରସ୍ଥିତ ସେଣ୍ଟ ଟମାସ୍‍ କଲେଜ୍‍ର ଶତବାର୍ଷିକ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାସ୍ଥଳରେ ବୋମା ଖଞ୍ଜିଥିବା ନେଇ ପି. ଜୟରମଣ ନାମକ ସମ୍ପୃକ୍ତ ପୂଜାରୀ ପୁଲିସ ନିୟନ୍ତ୍ରଣ କକ୍ଷକୁ ଟେଲିଫୋନ୍‍ କରି କହିଥିଲେ। ଟେଲିଫୋନ୍‍ ପାଇବା ପରେ ରାଜ୍ୟ ପୁଲିସ ତନାଘନା ଆରମ୍ଭ କରିଥିଲା। ପ୍ରାୟ ଏକ ଘଣ୍ଟା ମଧ୍ୟରେ ପୁଲିସ ଟେଲିଫୋନ୍‍ କଲ୍‍ କେଉଁ ସ୍ଥାନରୁ ଆସିଛି ତାହା ଜାଣିବା ପରେ ଜୟରମଣଙ୍କୁ ଗିରଫ କରିଥିଲା। ନିଶାସକ୍ତ ଅବସ୍ଥାରେ ପୁଲିସକୁ ଫୋନ୍‍ କରି ବୋମା ଖଞ୍ଜିଥିବା କଥା କହିଥିଲେ ବୋଲି ଜେରା ବେଳେ ଜୟରମଣ କହିଛନ୍ତି। ଅନ୍ୟପଟେ ସେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ଲୋକେ ଦର୍ଶାଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ଜୟରମଣଙ୍କୁ ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି। ରାଷ୍ଟ୍ରପତି ରବିବାର କେରଳରେ ପହଞ୍ଚିଛନ୍ତି। ଦିଲ୍ଲୀ ଫେରିବା ପୂର୍ବରୁ ସେଠାରେ ସେ ଗୁରୁବାୟୁର ଶ୍ରୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply