କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଲା, ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର

କୋଝିକୋଡ଼: କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି । ୧୨୩ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଦୁବାଇରୁ ଆସୁଥିବା ଆଇଏକ୍ସ-୧୩୪୪ ବିମାନଟି କୋଝିକୋଡ଼ ବିମାନବନ୍ଦରରେ ଓହ୍ଲାଇବା ବେଳେ ରନୱେରୁ ତଳକୁ ଖସି ପଡ଼ିଥିଲା । ପ୍ରବଳ ବର୍ଷା ହେଉଥିବାରୁ ବିମାନଟି ରନୱେରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିବା କୁହାଯାଉଛି ।

କୋଝିକୋଡ଼ ବିମାନବନ୍ଦରଟି ’ଟେବୁଲ୍ ଟପ୍‘ ଭାବରେ ଗଣାଯାଏ । ଅର୍ଥାତ୍ ରନୱେ ଶେଷ ଭାଗ ସମତଳ ଭୂମି ନ ହୋଇ ଖାତ  ରହିଥିବାରୁ ଏହାକୁ ଟେବୁଲ ଟପ୍ ବୋଲି କୁହାଯାଏ । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ବିମାନ ଅବତରଣ ସମୟରେ କୌଣସି ନିଆଁ ଲାଗିନାହିଁ । କେବଳ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଯାତ୍ରୀମାନେ ହତାହତ ହୋଇଛନ୍ତି ।

ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବିମାନ ଦୁବାଇରୁ ଆସିଥିଲା ଏବଂ ଏଥିରେ ୧୭୪ ଯାତ୍ରୀ, ୧୦ ନବଜାତ ଶିଶୁ, ୨ ପାଇଲଟ୍ ଓ ୫ ଜଣ କ୍ୟାବିନ୍ କ୍ରୁ ଥିଲେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବିମାନ ଦୁର୍ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିଦ ଦୁଃଖ ପ୍ରକାଶ କରିଛନ୍ତି । ସେ ଏ ସମ୍ପର୍କରେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁଙ୍କ ସହ ଆଲୋଚନା କରିବା ସହ ଘଟଣାର ଅନୁଧ୍ୟାନ ନିମନ୍ତେ ନିର୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ମୃତକଙ୍କ ନିମନ୍ତେ ରାଷ୍ଟ୍ରପତି ଶୋକପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

ବିମାନ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରମୁଖ ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହି ନେତାମାନେ ଆହତମାନଙ୍କର ଆଶୁ ଆରୋଗ୍ୟକାମନା କରିଛନ୍ତି ।

Comments are closed.