ଭିନ୍ନ ମୋଡ଼ ନେଲା କେରଳ ନନ୍‍ ବଳାତ୍କାର ମାମଲା: ଅଭିଯୁକ୍ତ ବିଶପ୍‍ଙ୍କ ପଦତ୍ୟାଗ

0

ନୂଆଦିଲ୍ଲୀ : କେରଳ ନନ୍‍ ବଳାତ୍କାର ମାମଲା ଶନିବାର ଭିନ୍ନ ମୋଡ଼ ନେଇଛି। ଅଭିଯୋଗକାରିଣୀ ନନ୍‍ ଭାଟିକାନ ସିଟିକୁ ଚିଠି ଲେଖି ଅଭିଯୋଗ ସମ୍ବନ୍ଧରେ ଅବଗତ କରିବା ତଥା ବିଭିନ୍ନ ମହଲରୁ ତୀବ୍ର ନିନ୍ଦା ପ୍ରକାଶ ପାଇବା ପରେ ଅଭିଯୁକ୍ତ ବିଶପ୍‍ ଫ୍ରାଙ୍କୋ ମୁଲାକାଲ ପଦ ତ୍ୟାଗ କରିଛନ୍ତି। ତାଙ୍କ ବିରୋଧରେ ରହିଥିବା ବଳାତ୍କାର ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେ ଜଳନ୍ଧର ଡିଓସିସ୍‍ (ବିଶପ୍‍ଙ୍କ ଅଧିକାର କ୍ଷେତ୍ର) ମୁଖ୍ୟ ପଦରୁ ଦୂରେଇ ରହିବେ। ଏହି ମାମଲାରେ ତାଙ୍କୁ କେରଳର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଥିବାରୁ ସେ ଏହି ନିଷ୍ପତ୍ତିି ଗ୍ରହଣ କରିଛନ୍ତି। ଏଥିସହ ଡିଓସିସ୍‍ର ଦାୟିତ୍ୱ ସେ ଉପ-ବିଶପ୍‍ ମାଥ୍ୟୁ କୋକ୍କଣମ୍‍ଙ୍କୁ ହସ୍ତାନ୍ତର କରିଛନ୍ତି। ଦାୟିତ୍ୱ ହସ୍ତାନ୍ତର ଘୋଷଣା କରି ସେ କହିଛନ୍ତି, ମୁଁ ସବୁକିଛି ଈଶ୍ୱରଙ୍କ ଉପରେ ଛାଡିଦେଇଛି। ଅଭିଯୋଗର ତଦନ୍ତରୁ କି ନିଷ୍କର୍ଷ ବାହାରୁଛି ଏବେ କେବଳ ତାହାକୁ ହିଁ ଅପେକ୍ଷା ରହିଛି। ତାଙ୍କ ଅନୁପସ୍ଥିତିରେ କୋକ୍କଣମ୍‍ଙ୍କ ନେତୃତ୍ୱରେ ଡିଓସିସ୍‍ ସାଧାରଣ ଭାବେ କାର୍ଯ୍ୟ କରିବ।
ଅଭିଯୁକ୍ତ ବିଶପ୍‍ ମୁଲାକାଲଙ୍କୁ ଜଳନ୍ଧର ଡିଓସିସ୍‍ର ମୁଖ୍ୟ ପଦରୁ ହଟାଇବା ଲାଗି ଅଭିଯୋଗକାରିଣୀ ନନ୍‍ ନିକଟରେ ଭାଟିକାନ୍‍ ସିଟିକୁ ଚିଠି ଲେଖି ନିବେଦନ କରିଥିଲେ। ଜଣେ ନନ୍‍ଙ୍କୁ ବିଶପ୍‍ଙ୍କ ବଳାତ୍କାର ଭଳି ଲଜ୍ଜାଜନକ ଘଟଣାକୁ ସାହସିକତାର ସହିତ ସେ ଲୋକଲୋଚନକୁ ଆଣିଥିବାବେଳେ ଏ ପ୍ରସଙ୍ଗରେ ଭାଟିକାନ୍‍ କାହିଁକି ନିରବତା ଅବଲମ୍ବନ କରିଛି ବୋଲି ସେ ଉକ୍ତ ଚିଠିରେ ପ୍ରଶ୍ନ ଉଠାଇଥିଲେ। ଏଥିସହ ରାଜନୈତିକ ଓ ଆର୍ଥିକ କ୍ଷମତାର ଉପଯୋଗ ପୂର୍ବକ ବିଶପ୍‍ ମୁଲାକାଲ ମାମଲାଟିକୁ ଦବାଇ ଦେବାକୁ ଉଦ୍ୟମ କରୁଥିବା ମଧ୍ୟ ସେ ଅଭିଯୋଗ ଆଣିଥିଲେ। ମାତ୍ର ମୁଲାକାଲ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଏକ ମାମଲାରେ ସମ୍ପୃକ୍ତ ନନ୍‍ଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଥିବାରୁ ସେ ତାଙ୍କୁ ଫସାଇବା ଉଦ୍ଦେଶ୍ୟରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ମିସନାରିଜ ଅଫ୍‍ ଜେସସ୍‍ ପକ୍ଷରୁ ଅଭିଯୋଗକାରିଣୀ ନନ୍‍ଙ୍କ ଫଟୋ ଚିତ୍ର ପ୍ରକାଶ ପାଇଥିବାରୁ କେରଳ ପୁଲିସ ଶୁକ୍ରବାର ଏନେଇ ଏକ ମାମଲା ରୁଜୁ କରିଛି। ବଳାତ୍କାର ଅଭିଯୋଗରେ ପରିପ୍ରେକ୍ଷୀରେ ବିଶପ୍‍ ମୁଲାକାଲଙ୍କୁ ମିସ୍‍ନାରିଜ୍‍ ପକ୍ଷରୁ କ୍ଲିନ୍‍ଚିଟ ପ୍ରଦାନ କରାଯାଇଛି।

Leave A Reply