କେରଳ ବନ୍ୟାରେ ୩୭ ମୃତ : ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ତିରୁଅନନ୍ତପୁରମ୍‍ : କେରଳ ବନ୍ୟାର ତୃତୀୟ ଦିନରେ ମୃତକ ଓ କ୍ଷତିଗ୍ରସ୍ତ ପାଇଁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‍ କହିଛନ୍ତି ଯେ ପ୍ରତି ମୃତ ବ୍ୟକ୍ତିଙ୍କ ପରିବାରୁ ୪ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେହିଭଳି ସମ୍ପୂର୍ଣ୍ଣ ବାସଗୃହ ହରାଇଥିବା ପରିବାର ପିଛା ଜମି କିଣା ପାଇଁ ୬ଲକ୍ଷ ଓ ଘର ତିଆରି ବାବଦରେ ୪ଲକ୍ଷ କରି ମୋଟ ୧୦ଲକ୍ଷ ଟଙ୍କା ଦିଆଯିବ। ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ହରାଇଥିବା ଲୋକଙ୍କୁ ଏଗୁଡ଼ିକ ବିନା ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ପିନାରାଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ବିଶେଷଜ୍ଞ ଦଳ ଓ ଉଚ୍ଚ ଅଧିକାରୀଙ୍କ ସହିତ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଏହି ଘୋଷଣା କରିଛନ୍ତି। ବିରଳ ଘଟଣାକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଧାନସଭା ବିରୋଧୀ ଦଳନେତା ରମେଶ ଚେନିତାଲ ମଧ୍ୟ ଆକାଶ ମାର୍ଗରୁ ବନ୍ୟାସ୍ଥିତି ପରିଦର୍ଶନ କରିଛନ୍ତି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆକାଶମାର୍ଗରୁ ବନ୍ୟପରିସ୍ଥିତି ଅନୁଧ୍ୟାନ କରିବେ।
ଅପରପକ୍ଷରେ ତିନି ସେନା ପକ୍ଷରୁ ‘ଅପରେସନ୍‍ ସହଯୋଗ’ କାର୍ଯ୍ୟକ୍ରମରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ଜାରି ରହିଛି। ସେନା ବନ୍ୟାପ୍ଳାବିତ ଅଞ୍ଚଳରେ ଦେବଦୂତ ସାଜିଥିବା ଚର୍ଚ୍ଚା ହେଉଛି। ତଟରକ୍ଷା ବାହିନୀ ସହିତ ତିନି ସେନାର ଯବାନ ଓ ଏନ୍‍ଡିଆରଏଫ୍‍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ତୃତୀୟ ଦିନ ସୁଦ୍ଧା ୫୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିଲାବେଳେ ୧ଲକ୍ଷ ହେକ୍ଟରରୁ ଅଧିକ ଜମି କ୍ଷତିଗ୍ରସ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୧୪ଟି କ୍ଷତିଗ୍ରସ୍ତ ଜିଲାରେ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଖୋଲା ଯାଇଥିବା ନଦୀବନ୍ଧ ଫାଟକରୁ ଶନିବାର ଅଧିକାଂଶକୁ ବନ୍ଦ କରିଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ୫୦୦ରୁ ଅଧିକ ଥଇଥାନ ଶିବିରରେ ଦୁର୍ଗତଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ମୁନ୍ନାରରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ୨୦ ବିଦେଶୀଙ୍କ ସହ ୬୯ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ଶନିବାର ଆଉ ୯ ଜଣଙ୍କ ମୃତ୍ୟୁ ଘଟିବାରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୭ରେ ପହଞ୍ଚିଥିବା ଜଣାପଡ଼ିଛି। ତିରୁଅନନ୍ତପୁରମ୍‍ ନିକଟ ସମୁଦ୍ରରେ ଦୁଇ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି ଓ ୪ଜଣ ଆହତ ହୋଇଛନ୍ତି।
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ଏହା ଦ୍ୱାରା ଶୀଘ୍ର ଭିତ୍ତିଭୂମି ନିର୍ମାଣ କରାଯାଇପାରିବ ବୋଲି ସେ ଲେଖିଛନ୍ତି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍‍. ନାରାୟଣ ସ୍ୱାମୀ ବନ୍ୟା ମୁକାବିଲା ପାଇଁ କେରଳ ସରକାରଙ୍କୁ କୋଟିଏ ଟଙ୍କା ପ୍ରଦାନ କରିଛନ୍ତି। ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି।

Leave A Reply