କେରଳ ବନ୍ୟାକୁ ମାନବକୃତ ଦର୍ଶାଇଲେ ବିରୋଧୀ ଦଳ, ବିଚାର ବିଭାଗୀୟ ତଦନ୍ତ ଦାବି

0

ତିରୁଅନନ୍ତପୁରମ୍‍ : ପ୍ରଳୟଙ୍କରୀ ବନ୍ୟାର ଶିକାର କେରଳ ଉପରୁ ବିପଦର ବାଦଲ ଧୀରେ ଧୀରେ ହଟୁଥିବା ବେଳେ ରାଜ୍ୟରେ ରାଜନୈତିକ ବିବାଦ ଘନେଇବାରେ ଲାଗିଛି। ଶତାବ୍ଦୀର ଭୟଙ୍କର ବନ୍ୟା ଭାବେ ଘୋଷିତ କେରଳ ବନ୍ୟା ମାନବକୃତ ବୋଲି ଦର୍ଶାଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୟୁଡିଏଫ୍‍ ଏବଂ ବିଜେପି ଏକ ନୂତନ ରାଜନୈତିକ ବିବାଦର ସୂତ୍ରପାତ କରିଛନ୍ତି। ଏହି ବନ୍ୟା ପାଇଁ ବିରୋଧୀ ଦଳଗୁଡିକ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। ରାଜ୍ୟର ସମସ୍ତ ଡ୍ୟାମ୍‍ଗୁଡିକର ବନ୍ୟା ଜଳ ପରିଚାଳନା କରିବାରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ବନ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା ବୋଲି କଂଗ୍ରେସ ନେତା ରମେଶ ଚେନ୍ନତିଥେଲା ଅଭିଯୋଗ କରିଛନ୍ତି। କେଉଁ ପରିସ୍ଥିତିରେ ଏକାଥରକେ ୪୦ଟି ଡ୍ୟାମ୍‍ର ଫାଟକ ଖୋଲାଗଲା ତାହାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି ଚେନ୍ନତିଥେଲା।
ଚେନ୍ନତିଥେଲା କହିଛନ୍ତି, ପାମ୍ବାର ୯ଟି, ପେରିୟାର ନଦୀର ୧୧ଟି ଏବଂ ଥ୍ରିସୁର ଅନ୍ତର୍ଗତ ଚାଲାକୁଡି ନଦୀର ୬ଟି ଡ୍ୟାମ୍‍ ଏକାସାଙ୍ଗରେ ଖୋଲିବା ଦ୍ୱାରା କେଉଁ ଅଞ୍ଚଳ ଜଳମଗ୍ନ ହେବ ତାହା ରାଜ୍ୟ ସରକାରଙ୍କୁ ଜଣା ନ ଥିଲା। ଯଦିଓ ଚଳିତବର୍ଷ ରାଜ୍ୟରେ ୪୧.୪୪% ଅଧିକ ବର୍ଷା ହୋଇଛି ତଥାପି ବନ୍ୟା ପରିସ୍ଥିତି ସେଭଳି ବିପଦପୂର୍ଣ୍ଣ ନ ଥିଲା; କିନ୍ତୁ ୪୪ଟି ଡ୍ୟାମ୍‍ର ଫାଟକ ଖୋଲିବା ଦ୍ୱାରା ପରିସ୍ଥିତି ସାଙ୍ଘାତିକ ହୋଇପଡିଥିଲା। ଏଣୁ ଏହା ସମ୍ପୂର୍ଣ୍ଣ ମାନବକୃତ ବିପର୍ଯ୍ୟୟ ବୋଲି ସେ ଦର୍ଶାଇଛନ୍ତି। ସେହିଭଳି ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଅପାରଗତା ପ୍ରଦର୍ଶନ କରିଥିବା ବେଳେ ବନ୍ୟାସ୍ଥିତି ସମ୍ବନ୍ଧରେ ଦୂରଦୃଷ୍ଟି ପକାଇବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ପି. ଏସ୍‍. ଶ୍ରୀଧରନ୍‍ ପିଲାଇ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କେରଳ ଇଲେକ୍‍ଟ୍ରିସିଟି ବୋର୍ଡର ଅଧ୍ୟକ୍ଷ କେ. ପି. ଶ୍ରୀଧରନ୍‍ ନାୟାର ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଡ୍ୟାମ୍‍ ପରିଚାଳନା ଦାୟିତ୍ୱରେ ଥିବା ବୋର୍ଡ ପକ୍ଷରୁ କୌଣସି ଅବହେଳା କରାଯାଇନାହିଁ। ପର୍ଯ୍ୟାପ୍ତ ସତର୍କ ସୂଚନା ଜାରି କରିବା ପରେ ହିଁ ଡ୍ୟାମ୍‍ଗୁଡିକର ଫାଟକ ଖୋଲାଯାଇଛି। ଅଧିକାଂଶ ନଦୀରେ କ୍ଷମତାଠାରୁ ବହୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବୋର୍ଡ ଏହି ଡ୍ୟାମ୍‍ଗୁଡିକୁ ଖୋଲିବାକୁ ବାଧ୍ୟ ହୋଇଥିଲା ବୋଲି ସେ ଦର୍ଶାଇଛନ୍ତି। ଡ୍ରାମ୍‍ ନିରାପତ୍ତା ଅଧ୍ୟକ୍ଷ ସି. ଏନ୍‍. ରାମଚନ୍ଦ୍ରନ୍‍ ନାୟାର କହିଛନ୍ତି, ସତ୍ୟ କ’ଣ ତାହା ସମସ୍ତେ ଜାଣନ୍ତି। କେବଳ କିଛି ଲୋକଙ୍କୁ ଦାୟୀ କରିବା ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ ଅଣାଯାଉଛି। ବିପର୍ଯ୍ୟୟ ଗବେଷଣା ସମ୍ବନ୍ଧୀୟ ସ୍ୱତନ୍ତ୍ର କେନ୍ଦ୍ରର ଅଧ୍ୟକ୍ଷ ତଥା ଜବାହାର ଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଅମୃତା ସିଂହ ମଧ୍ୟ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିଛନ୍ତି। ମାତ୍ର ସମସ୍ତ ସମାଲୋଚନାକୁ ପଛରେ ପକାଇ କେରଳର ଜନ ଓ ପ୍ରଶାସନ ବାସସ୍ଥାନ ଓ ସର୍ବସାଧାରଣ ଅଞ୍ଚଳ ସଫେଇ କାର୍ଯ୍ୟରେ ଲାଗିପଡିଛନ୍ତି।
ଉଲ୍ଲେଖ ଯେ, ଅଗଷ୍ଟ ୮ ପରଠାରୁ କେରଳରେ ପ୍ରବଳ ବର୍ଷାଜନିତ ପ୍ରଳୟଙ୍କରୀ ବନ୍ୟା ଯୋଗୁ ୨୩୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୩୨ ଜଣ ନିଖୋଜ ଅଛନ୍ତି। ରାଜ୍ୟର ୩,୮୭୯ ରିଲିଫ୍‍ କ୍ୟାମ୍ପରେ ୩.୯୧ ଲକ୍ଷ ପରିବାରର ୧୪.୫୦ ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ରିଲିଫ୍‍ ଓ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ରାଜ୍ୟରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ସରକାର ଲାଗିପଡିଛନ୍ତି।

Leave A Reply