ଶାବରୀମାଳା ବିବାଦ : ଦଳୀୟ ନେତାଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

0

କୋଚି : ଶାବରୀମାଳା ମନ୍ଦିରକୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବାବେଳେ ବିଜେପି ପକ୍ଷରୁ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜପଥ ଅବରୋଧ କରାଯାଇଛି। ବିଜେପି ରାଜ୍ୟ ସମ୍ପାଦକ କେ. ସୁରେନ୍ଦ୍ରନ୍‍ଙ୍କ ଗିରଫ ପ୍ରତିବାଦରେ ଦଳର କର୍ମୀମାନେ ଏହି ବିକ୍ଷୋଭ ଓ ରାସ୍ତା ଅବରୋଧ କରିଥିବା ପ୍ରକାଶ। ଏଥିଯୋଗୁଁ ପର୍ଯ୍ୟଟକମାନେ ଆୟାପ୍ପା ମନ୍ଦିରକୁ ଯିବାରେ ବିଭ୍ରାଟ ସୃଷ୍ଟି ହୋଇଛି। ତିରୁଅନନ୍ତପୁରମ୍‍, କୋଚି, ତ୍ରିଶୁର, ପାଲ୍ଲାକାଡ ଓ କାଶରଗଡ଼ ଜିଲାର କୋଟ୍ଟାରାକାରା ସବ୍‍ ଜେଲ୍‍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶନିବାର ସୁରେନ୍ଦ୍ରନ୍‍ ଶୋଭାଯାତ୍ରାରେ ଆୟାପ୍ପା ମନ୍ଦିରକୁ ଯାଉଥିଲାବେଳେ ପୁଲିସ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଚିତ୍ତରଠାରେ ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଅଦାଲତରେ ହାଜର କରାଯିବା ପରେ ୧୪ଦିନିଆ ହାଜତକୁ ପଠାଇଦିଆଯାଇଛି। ଏହାବ୍ୟତୀତ ହିନ୍ଦୁ ଐକ୍ୟ ବେଦୀ ସଂଗଠନର ମୁଖ୍ୟ କେ.ପି ଶଶିକଳାଙ୍କୁ ମଧ୍ୟ ପୁଲିସ ଶନିବାର ଗିରଫ କରିବା ନେଇ ବିଭ୍ରାଟ ସୃଷ୍ଟି ହୋଇଥିଲା; କିନ୍ତୁ ପରେ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଛି। ଏଥିପାଇଁ ଶନିବାର ମଧ୍ୟ ରାଜ୍ୟରେ ବନ୍ଦ ପାଳନ କରାଯାଇଥିଲା। ଏଭଳି ପରିସ୍ଥିତିରେ ଶାବରୀମାଳା ମନ୍ଦିର ତଥା ଏଠାକୁ ଗନ୍ତବ୍ୟ ରାସ୍ତା ସମ୍ପ୍ରତି ବିକ୍ଷୋଭ ସ୍ଥଳରେ ପରିଣତ ହୋଇଛି। ଅପରପକ୍ଷରେ କଂଗ୍ରେସର ତିନିଜଣ ବରିଷ୍ଠ ନେତା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ପୂର୍ବତନ ଅଛନ୍ତି। ସେମାନେ ଭକ୍ତଙ୍କୁ ପ୍ରଦାନ କରାଯାଉଥିବା ସୁବିଧାସୁଯୋଗ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଶାବରୀମାଳା ଯାଉଥିବା ଦର୍ଶାଇଛନ୍ତି। ବିଜେପି ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆବଶ୍ୟକ ସୁବିଧା କରି ନ ଥିବା ଅଭିଯୋଗ କରାଯାଇଛି।

Leave A Reply