ଭାସୁଛି ଅଧା କେରଳ

0

ତିରୁଭାନନ୍ତପୁରମ: ପ୍ରଳୟଙ୍କରୀ ବନ୍ୟାରେ କେରଳର ଅଧା ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରାୟ ୫୦ ବର୍ଷ ପରେ ରାଜ୍ୟରେ ଏଭଳି ପ୍ରଳୟଙ୍କରୀ ବନ୍ୟା ଆସିଥିବା କୁହଯାଉଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୨୨ଟି ଡ୍ୟାମ୍‍ର ସମସ୍ତ ଗେଟ୍‍ ଖୋଲାଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟର ୪୦ଟି ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଭୂସ୍ଫଳନ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ବନ୍ୟା ଜଳରେ ଭାସି ଯାଇଛନ୍ତି। ୫୪,୦୦୦ ଲୋକ ବାସହୀନ ହୋଇଛନ୍ତି।

କେରଳର ମୋଟ ୧୪ଟି ଜିଲା ମଧ୍ୟରୁ ୭ଟି ଜିଲା ଜଳମଗ୍ନ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟତଃ କେନ୍ଦ୍ର ଓ ଉତ୍ତର କେରଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତା ଭାଙ୍ଗି ଦୁଇ ଭାଗ ହୋଇଯାଇଛି। ବଡ଼ ବଡ଼ ଘାଇ ସୃଷ୍ଟି ହେବା ଫଳରେ ସଡ଼କ ପଥରେ ଗମନାଗମନ ବିଚ୍ଛିନ୍ନ ହୋଇପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୪୩୯ଟି ରିଲିଫ୍‍ ଶିବିର ଖୋଲାଯାଇଛି। ଇଡୁକି ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି।

ମୁନାରଠାରେ ଫସି ରହିଥିବା ୨୪ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ପ୍ରାୟ ୫୦ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ଜଳ, ସ୍ଥଳ ଓ ବାୟୁ ସେନା ବାହିନୀ ସହିତ ଏନ୍‍ଡିଆରଏଫ୍‍ ଟିମ୍‍ ଉଦ୍ଧାର କାର୍ଯ୍ୟରେ ମୁତୟନ ଅଛନ୍ତି। ସେନାବାହିନୀର ଯବାନ୍‍ ଓ ଇଞ୍ଜିନିୟରମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି, ପୁନରୁଦ୍ଧାର ଓ ପୁନଃସ୍ଥାପନ ପ୍ର୍ରକ୍ରିୟାର ଆରମ୍ଭ କରିଛନ୍ତି। ପ୍ରଥମେ ଛୋଟ ଛୋଟ ବ୍ରିଜ୍‍ ମରାମତି ଓ ସଡ଼କ ନିର୍ମାଣକୁ ଗୁରୁ୍‍ତ୍ୱ ଦିଆଯାଇଛ। ସରକାରଙ୍କ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ବନ୍ୟା ଯୋଗୁଁ ସବୁ ଅଞ୍ଚଳକୁ ଯିବା ସମ୍ଭବ ହୋଇପାରୁନଥିବାରୁ କ୍ଷୟକ୍ଷତି ଆକଳନ କରାଯାଇପାରିନାହିଁ।

Leave A Reply