ବଲାଣି-ବଡ଼ବିଲ ରାସ୍ତା ପାଲଟିଛି ମରଣଯନ୍ତା; ଘର ଭିତରେ ପଶିଲା ଟ୍ରକ୍, ୩ଗୁରୁତର

ବଲାଣି : କେନ୍ଦୁଝର ଜିଲ୍ଲା ନିର୍ମାଣଧୀନ ବଡ଼ବିଲ-ବଲାଣି ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ସଡ଼କ ନିର୍ମାଣର ରୂପରେଖା ଓ ନିର୍ମାଣ ସମୟରେ ନିଆଯାଉଥିବା ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଥିବାର ଅଭିଯୋଗ ହୋଇଛି। ଗତ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ବଲାଣି ରେଳ ସାଇଡିଂରୁ ଖଣିଜ ପଦାର୍ଥ ଖଲାସ କରି ବଡ଼ବିଲ ଆଡ଼କୁ ଯାଉଥିବା ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ନାଳ ଡେଇଁ ବଲାଣି ଥାନା ଅନ୍ତର୍ଗତ ଡର୍ବୀ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଥିବା ଗୋପାଳ ମୁଣ୍ଡା ନାମକ ବ୍ୟକ୍ତିଙ୍କ ଘର ଭିତରେ ପଶି ଯିବାରୁ ଉକ୍ତ ଘରେ ଶୋଇଥିବା ୩ ଭାଇ ଭଉଣୀ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ରେଶମା ମୁଣ୍ଡା(୧୮), କରଣ ମୁଣ୍ଡା(୧୩) ଓ ଅଞ୍ଜଳି ମୁଣ୍ଡା(୧୧)। ଦୁର୍ଘଟଣାଟି ଏତେ ଭିଷଣ ହୋଇଥିଲା ଯେ ଉକ୍ତ ଦୁର୍ଘଟଣାରେ ଗୋପାଳ ମୁଣ୍ଡାଙ୍କ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବଲାଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗ ଓ ବଡ଼ବିଲ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇ ଗୁରୁତରଙ୍କୁ ଭୁଶୁଡି ପଡିଥିବା ଘରୁ ଉଦ୍ଧାର କରାଯାଇ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ବଡ଼ଝିଅ ରେଶମା ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଦୀର୍ଘ ଘଣ୍ଟା ଧରି ବଡ଼ବିଲ-ବଲାଣି ରାସ୍ତା ଜାମ ରହିଥିଲା। ଏ ନେଇ ପ୍ରଶାସନ ପକ୍ଷରୁ ୧ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯିବା ସହିତ ବଲାଣି ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡି ମାଲିକ ଗୁରୁତରଙ୍କ ଚିକିତ୍ସା ନିମନ୍ତେ ୨୨ହଜାର ୫୦୦ ଟଙ୍କା ଦେବା ସହିତ ଭାଙ୍ଗି ଯାଇଥିବା ଘର ନିମନ୍ତେ କ୍ଷତି ପୁରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ସ୍ଥିତି ସାମାନ୍ୟ ହୋଇଥିଲା। ତେବେ ଏହି ରାସ୍ତାରେ ପ୍ରତ୍ୟେହ ଶହ ଶହ ସଂଖ୍ୟାରେ ଖଣିଜ ପଦାର୍ଥ ପରିବହନ ନିମନ୍ତେ ଭାରିଯାନ ଚଳାଚଳ କରୁଥିବାବେଳେ ଜିଲା ଖଣିଜ ପାଣ୍ଠି ଅନୁଦାନରୁ ନିର୍ମାଣ ହେଉଥିବା ବଡ଼ବିଲ-ବଲାଣି-କିରିବାରୁ ରାସ୍ତା ସୁରକ୍ଷା ଦୃଷ୍ଟିରୁ ସଠିକ ଭାବେ ନିର୍ମାଣ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖଣିଜ ପଦାର୍ଥ ପରିବହନ ନିମନ୍ତେ ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ଭାରିଯାନ ଚଳାଚଳ କରୁଥିବାବେଳେ ଏଠାରେ ଡିଭାଇଡର ବିଶିଷ୍ଟ ୨ ଲେନ ରାସ୍ତାର ଅଵଶ୍ୟକତା ଥିବା ବେଳେ ଉକ୍ତ ରାସ୍ତାକୁ ଅଧିକ ବିପଦପୂର୍ଣ୍ଣ କରି କେବଳ ପ୍ରଶସ୍ତ କରାଯାଉଛି ଯେଉଁଥିପାଇଁ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହା ବ୍ୟତୀତ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ଅବହେଳା ଯୋଗୁଁ ନିର୍ମାଣାଧୀନ ରାସ୍ତାର ଠିକା ସଂସ୍ଥା ରାସ୍ତା ନିର୍ମାଣ ସମୟରେ ନିଆଯାଉଥିବା ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଳନ କରୁନଥିବାରୁ ଏହି ରାସ୍ତାରେ ପ୍ରତ୍ୟେହ ଦୁର୍ଘଟଣା ଘଟିବା ଏକ ସାଧାରଣ କଥା ପାଲଟିଛି। ତେବେ ବଡ଼ବିଲ-ବଲାଣି-କିରିବୁରୁ ନିର୍ମାଣାଧୀନ ରାସ୍ତାରେ ଡିଭାଇଡର ନିର୍ମାଣ କରିବା ସହିତ ନିର୍ମାଣ ସମୟରେ ନେବାକୁ ଥିବା ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Comments are closed.