ଆସନ୍ତାକାଲି ସାବିତ୍ରୀ ବ୍ରତ; ଫଳ ମୂଲ୍ୟ ଆକାଶଛୁଆଁ, ସାମାଜିକ ଦୂରତାକୁ ଫୁ’

କେନ୍ଦୁଝରଗଡ଼ : ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସଧବା ସ୍ତ୍ରୀ ପାଳିଥାନ୍ତି ସାବିତ୍ରୀ ବ୍ରତ। ଏଥିପାଇଁ ନୂତନ ବସ୍ତ୍ର ପରିଧାନ କରି ଫଳ ପୂଜା ସହ ଦିନତମାମ୍‍ ଉପବାସ ରହିବାକୁ ପଡିଥାଏ ପତ୍ନୀଙ୍କୁ। ହିନ୍ଦୁଧର୍ମର ଏହି ପବିତ୍ର ପୂଜା ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବାବେଳେ କେନ୍ଦୁଝର ସହରରେ ଶାଢ଼ୀ ଓ ଫଳ ଦୋକାନରେ ଗୁରୁବାର ନାହିଁନଥିବା ଭିଡ ଦେଖିବାକୁ ମିଳିଥିଲା। କରୋନା ଭାଇରସ୍ ‘କୋଭିଡ-୧୯’ ମହାମାରୀ ମୁକାବିଲା ପାଇଁ ଦେଶବ୍ୟାପୀ ତାଲାବନ୍ଦ ସହ ସାମାଜିକ ଦୂରତା ଓ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ସାବିତ୍ରୀ ବ୍ରତ ପାଳନ ପରିପ୍ରେକ୍ଷୀରେ ଲୋକେ ସରକାରଙ୍କ ଏହି ନିୟମକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ସାବିତ୍ରୀ ବ୍ରତ ପାଇଁ ଲୋକଙ୍କ ଅସମ୍ଭବ ଭିଡ ଯେ ଆଗାମୀ ଦିନରେ କରୋନା ଭୁତାଣୁ ସଂକ୍ରମଣର ବାହକ ନ ସାଜିବ ସେ କଥା କିଏ କହିବ ବୋଲି ସାଧାରଣରେ ବେଶ୍‍ ଆଲୋଚନାର ବିଷୟ ହୋଇଛି। କରୋନା ଭାଇରସ୍‍ ‘କୋଭିଡ-୧୯’ ପରିପ୍ରେକ୍ଷୀରେ ତାଲାବନ୍ଦ ଯୋଗୁଁ ବସ୍‍ ଚଳାଚଳ ବନ୍ଦ କାରଣରୁ ଜିଲାର ତେଲକୋଇ ଓ ହରିଚନ୍ଦନପୁର ବ୍ଲକ ଅଞ୍ଚଳରୁ ବିଭିନ୍ନ କିସମର ଆମ୍ବ ଚଳିତବର୍ଷ ବଜାରକୁ ପହଞ୍ଚି ନପାରିବାରୁ ଫଳ ବ୍ୟବସାୟୀ ଏହାର ଭରପୁର ସୁଯୋଗ ଉଠାଇ ଫଳ ଦର ଆକାଶଛୁଆଁ ଦରରେ ବିକ୍ରି କରିବା ସାଧାରଣ ଲୋକଙ୍କୁ ନିରାଶ କରିଛି। ମଙ୍ଗଳବାର ସୁଦ୍ଧା କେନ୍ଦୁଝର ଜିଲାରେ ଉନ୍ନତମାନର ଆମ୍ବ କି.ଗ୍ରା. ପ୍ରତି ୩୦ରୁ ୪୦ ଟଙ୍କା ମୂଲ୍ୟରେ ଗ୍ରାହକ କିଣିବାକୁ ରାଜି ହେଉନଥିବା ବେଳେ ସାବିତ୍ରୀ ବ୍ରତକୁ ଆଖିଆଗରେ ରଖି ଗୁରୁବାରଠାରୁ ଆମ୍ବ କିଲୋ ପ୍ରତି ହଠାତ୍‍ ୮୦ରୁ ୧୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତକୁ ଆଖି ଆଗରେ ରଖି ବିଭିନ୍ନ କିସମର ଫଳକୁ ପୂର୍ବ ଦରଠାରୁ ହଠାତ୍‍ ୩ଗୁଣା ବୃଦ୍ଧି କରି ଦେଇଛନ୍ତି। କଦଳୀ ଡର୍ଜନ ପ୍ରତି ୬୦ରୁ ୮୦ଟଙ୍କା, ଲିଚୁ କିଲୋ ପ୍ରତି ୧୫୦ରୁ ୨୦୦ଟଙ୍କା, ସେଓ କିଲୋପ୍ରତି ୨୦୦ରୁ ୨୫୦ଟଙ୍କା, ଅଙ୍ଗୁର କିଲୋପ୍ରତି ୧୫୦ରୁ ୧୮୦ଟଙ୍କା, ସେପ୍‍ଟା କିଲୋପ୍ରତି ୧୦୦ରୁ ୧୩୦ ଟଙ୍କା, କମଳା କିଲୋପ୍ରତି ୨୦୦ରୁ ୨୫୦ଟଙ୍କା, ପଇଡ ଗୋଟା ପ୍ରତି ୬୦ରୁ ୮୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଅନ୍ୟ ଫଳ ମୂଲ୍ୟ ନ କହିବା ଭଲ। ସାବିତ୍ରୀ ବ୍ରତ ପାଇଁ ସହରର ଗାନ୍ଧିଛକ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଛକ ମଧ୍ୟରେ ମୁଖ୍ୟରାସ୍ତାକୁ ଅବରୋଧ କରି ପଡୋଶୀ ରାଜ୍ୟର ଫଳ ବ୍ୟବସାୟୀ ଚଢ଼ା ମୂଲ୍ୟରେ ବ୍ୟବସାୟ କରିବା ସହ ସହରରେ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି କରୁଥିଲେ ହେଁ ଦରଦାମ୍‍ ନିୟନ୍ତ୍ରଣ ଓ ଟ୍ରାଫିକ୍‍ ସମସ୍ୟାରେ ସୁଧାର ଆଣିବା ଦିଗରେ ପୌର ଓ ପୁଲିସ ପ୍ରଶାସନର ସ୍ଥାଣୁତା ସହରବାସୀଙ୍କୁ ନିରାଶ କରିଛି। ଫଳ ବ୍ୟବସାୟୀଙ୍କ ପକ୍ଷରୁ ଲିଚୁ ସମେତ ବହୁ ଫଳକୁ କୁତ୍ରିମ ରଙ୍ଗ ପ୍ରୟୋଗ କରି ବିକ୍ରି କରାଯାଉଥିଲେ ହେଁ ଏଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସାମାନ୍ୟ ନଜର ନ ପଡିବା ଗ୍ରାହକଙ୍କୁ ନିରାଶ କରିଛି। ଏଭଳିସ୍ଥିତିରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସହରର ଫଳ ବ୍ୟବସାୟୀଙ୍କ ଉପରେ ଚଢ଼ଉ କରାଯାଇ ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆଣିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି।

Comments are closed.