ଡିଏମ୍‍ଏଫ୍‍ ପାଣ୍ଠିରେ ପର୍ଯ୍ୟାପ୍ତ ଅର୍ଥ ସତ୍ତ୍ବେ ହୋଇପାରୁନି କେନ୍ଦୁଝରର ବିକାଶ

କେନ୍ଦୁଝରଗଡ଼ : ଜିଲାରେ କାର୍ଯ୍ୟକ୍ଷମ ଖଣିରୁ ଆଦାୟ ରାଜସ୍ୱକୁ ନେଇ ୨୦୧୪-୧୫ରେ ଗଠିତ ‘ଜିଲା ଖଣିଜ ଉନ୍ନୟନ ପାଣ୍ଠି’ (ଡିଏମ୍‍ଏଫ୍‍)କୁ ଆଦାୟ ଅର୍ଥ କେବଳ ଜିଲା ବିକାଶରେ ଖର୍ଚ୍ଚ ହେବାନେଇ ସରକାରୀସ୍ତରରେ ନିୟମ ପ୍ରଣୟନ ହୋଇଛି। ନବଗଠିତ ଏହି ପାଣ୍ଠିରେ ୨୦୨୦ ଅପ୍ରେଲ ସୁଦ୍ଧା ୪୪୬୦କୋଟି ୯ଲକ୍ଷ ୩୩ହଜାର ଟଙ୍କା ଆଦାୟ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୧୧ଟି ପ୍ରକଳ୍ପ ପାଇଁ ୨୫୫୧କୋଟି ୩୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ମାତ୍ର ୧୩୧୧ କୋଟି ୧୮ଲକ୍ଷ ୯୫ହଜାର ଟଙ୍କା ଖର୍ଚ୍ଚ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ମୋଟ ଉପରେ ଖର୍ଚ୍ଚ ନହୋଇ ୩୧୪୯କୋଟି ଟଙ୍କା ବଳକା ରହିବା ଜିଲାର ବିକାଶ ପ୍ରକ୍ରିୟା କିଭଳି ଆଗେଇ ଚାଲିଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ନିକଟରେ ଅନୁଷ୍ଠିତ ଜରୁରୀକାଳୀନ ବୈଠକରେ କ୍ଷୋଭ ପ୍ରକଟ କରିଛନ୍ତି। ଡିଏମ୍‍ଏଫ୍‍ ଅର୍ଥ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ଉନ୍ନତି ନିମନ୍ତେ ଖର୍ଚ୍ଚ ହେବା ନିୟମ ଥିବାବେଳେ କେନ୍ଦୁଝର ଜିଲାରେ ଏହି ଅର୍ଥକୁ କିଭଳି ଭାବେ ଓ କାହା ସ୍ୱାର୍ଥରେ ଆଦୌ ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ବିକାଶ ଆଳରେ କୋଟି କୋଟି ଟଙ୍କା ଲୁଟ୍‍ ହେଉଛି ସେ ନେଇ ସଦର ବିଧାୟକ ଶ୍ରୀ ମାଝୀ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏହି ଯୋଜନାରେ କାର୍ଯ୍ୟକ୍ଷମ ପ୍ରକଳ୍ପ ବିଷୟରେ କମିଟି ସଦସ୍ୟମାନଙ୍କୁ ଆଦୌ ଅବଗତ ନକରି ଜିଲାପାଳ ନିଜ ଇଛା ମୁତାବକ ଖର୍ଚ୍ଚ କରୁଥିବା ନେଇ ବିଧାୟକ ଶ୍ରୀ ମାଝୀ ଉକ୍ତ ବୈଠକରେ ନିକଟରେ ଅସନ୍ତୋଷ ବ୍ୟକ୍ତ କରିବା ବୈଠକରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହିଭଳି ଡିଏମଏଫ କାର୍ଯ୍ୟ ତଦାରଖ କରୁଥିବା ସଂସ୍ଥା (ପିଏମୟୁ)ର କାର୍ଯ୍ୟକାଳ ଶେଷ ସତ୍ତ୍ବେ ଉକ୍ତ ସଂସ୍ଥାକୁ କାହିଁକି ରଖାଯାଇଛି ସେ ନେଇ ବିଧାୟକ ଶ୍ରୀ ମାଝୀ ପ୍ରଶ୍ନ ଉଠାଇବା ସହ େଓବ୍‍ସାଇଟ୍‍ ମଧ୍ୟ ଅପଡେଟ୍‍ ନହେବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅତିରିକ୍ତ ଶ୍ରେଣୀଗୃହ, ଅଙ୍ଗନୱାଡି ଗୃହ, ନଳକୂପ ସ୍ଥାପନ, ଗ୍ରାମାଞ୍ଚଳରେ କଂକ୍ରୀଟରାସ୍ତା ନିର୍ମାଣ ଭଳି ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଜିଲାପାଳଙ୍କୁ ଢ଼ାଲ କରି ଡିଏମ୍‍ଏଫ୍‍ ଅର୍ଥର ଦୁରୁପଯୋଗ ବିରୋଧରେ ବିଜେପି ଆବଶ୍ୟକ ହେଲେ ଏହା ବିରୋଧରେ ଆଇନର ଆଶ୍ରୟ ନେବବୋଲି ସଦର ବିଧାୟକ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି। ଡିଏମ୍‍ଏଫ୍‍ ପାଣ୍ଠିର ସଦୁପଯୋଗ କରାଯାଇ ଖଣି ଓ ଶିଳ୍ପ ବହୁଳ ଯୋଡା ବଡବିଲ ଅଞ୍ଚଳରେ ପାନୀୟଜଳ ଯୋଗାଣ ଭଳି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ମେଗା ଜଳଯୋଗାଣ ପ୍ରକଳ୍ପ, ଖଣି ପ୍ରଭାବିତ ଯୋଡା-ବଡବିଲ ଅଞ୍ଚଳବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ହେଲେ ସମ୍ପୃକ୍ତ ଅଞ୍ଚଳରେ ତୁରନ୍ତ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ନିର୍ମାଣ, କ୍ରୀଡାର ବିକାଶ ପାଇଁ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ, ବୈଷୟିକକ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ଉନ୍ନତମାନର ବୈଷୟିକ ଶିକ୍ଷାନୁଷ୍ଠାନ ଆଦି ମେଗା ପ୍ରକଳ୍ପ ନିର୍ମାଣ କରାଯାଇ ପାରିଲେ କେନ୍ଦୁଝର ଜିଲା ଦେଶରେ ଏକ ଅଗ୍ରଣୀ ଜିଲା ଭାବେ ସ୍ଥାନୀତ ହୋଇପାରନ୍ତା ବୋଲି ବିଧାୟକ ଶ୍ରୀ ମାଝୀ କହିଛନ୍ତି।
ଖଣି ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରୁ ସଂଗୃହୀତ ରାଜସ୍ୱ ଉଭୟ ରାଜ୍ୟ ଓ କେନ୍ଦ୍ର ରାଜକୋଷକୁ ସମୃଦ୍ଧ କରୁଛି। ଏହାସତ୍ତ୍ବେ ଜିଲାର ବିପର୍ଯ୍ୟସ୍ତ ସଡକପଥ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ ଏବଂ ବିଦ୍ୟୁତକରଣ ଭଳି ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇନପାରିବା ଜିଲା ବିକାଶରେ ଅନ୍ତରାୟ ସୃଷ୍ଟି କରିଛି। ଜିଲାର ଆବଶ୍ୟକ ଭିତ୍ତିଭୂମି ଏବଂ ମାନବସମ୍ବଳ ବିକାଶର ଲୋଭାଣିଆ ମିଥ୍ୟା ପ୍ରତିଶ୍ରୁତି ଦେଇ ନେତାଏ ନିର୍ବାଚନ ବୈତରଣୀ ପାରିହେବାକୁ ସକ୍ଷମ ହୋଇଥିଲେ ହେଁ ପରବର୍ତ୍ତି ସମୟରେ ପ୍ରତିଶ୍ରୁତିରୁ ଦୂରେଇ ଯାଉଥିବାରୁ ଏହା ଜିଲାବାସୀଙ୍କ ପାଇଁ କାଳ ହୋଇଛି। ଜିଲାରେ ଯୋଗଦେଉଥିବା ପ୍ରଶାସନିକ ଅଧିକାରୀଙ୍କ ମେରୀରାୟ ଶାସନଶୈଳୀ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ଜିଲା ବିକାଶରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଗୁରୁତର ଅଭିଯୋଗ କରିଛନ୍ତି। ମାନବସମ୍ବଳର ବିକାଶ, ସାମାଜିକ ନ୍ୟାୟ, ଅର୍ଥନୈତିକ ପ୍ରଗତିକୁ ବାଦ୍‍ ଦେଲେ କେନ୍ଦୁଝରର ବିକାଶ ଅସମ୍ଭବ ବୋଲି ଶ୍ରୀ ପଣ୍ଡା କ୍ଷୋଭ ପ୍ରକଟ କରି ଏହା କହିଛନ୍ତି।
ଇସ୍ପାତ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଉନ୍ନତମାନର ଲୁହାପଥର ଏହି ଜିଲାରେ ଦେଶର ୩୪ ପ୍ରତିଶତ ଗଛିତ ଥିଲେ ହେଁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବୃହତ୍‍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହୋଇନପାରିବା ଜିଲା ବିକାଶ କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି। ଜିଲାର ଚମ୍ପୁଆ, ଯୋଡା, ଝୁମ୍ପୁରା, କେନ୍ଦୁଝର ସଦର ଓ ପାଟଣା ବ୍ଲକର ୨୪୮ଟି ଗାଁର ୪୮୦୦ ହେକ୍ଟର ଚାଷଜମିକୁ ଜଳସେଚନ କରି ସବୁଜ ବିପ୍ଳବ ଆଣିବା ଲକ୍ଷ୍ୟରେ ଆଜକୁ ୧୮ବର୍ଷ ତଳେ ବାସୁଦେବପୁରସ୍ଥିତ ବୈତରଣୀ ନଦୀରେ ଆରମ୍ଭ ହୋଇଥିବା କାନପୁର ବୃହତ୍‍ ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ଓ ବିସ୍ଥାପିତଙ୍କୁ ଉପଯୁକ୍ତ ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବ ସାଙ୍ଗକୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ମନ୍ଥରତା ପ୍ରକଳ୍ପକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ପ୍ରାଥମିକ ପର୍ଯ୍ୟାୟରେ ୪୨୮.୩୨କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏବେ ବୃଦ୍ଧି ପାଇ ୩୦୦୦କୋଟି ଅତିକ୍ରମ କରିଥିବାବେଳେ ପ୍ରକଳ୍ପ କାର୍ଯ୍ୟକାରୀତା ଆଶଙ୍କା ଚାଷୀଙ୍କୁ ଦିଗହରା କରିଛି। ସେହିଭଳି ଜିଲାବ୍ୟାପୀ ପାନୀୟଜଳ ଉତ୍କଟ ସମସ୍ୟା ଧାରଣ କରିଥିବା ବେଳେ ପ୍ରଶାସନ ପକ୍ଷରୁ ୨୦୨୦ଶେଷ ସୁଦ୍ଧା ଜିଲାର ସମସ୍ତ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ଭଳି ଲୋଭାଣିଆ ପ୍ରତିଶ୍ରୁତି ବୁଦ୍ଧଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୦୬ ମସିହାରୁ କେନ୍ଦୁଝର ସହରର ମାଷ୍ଟରପ୍ଲାନ ଶେଷ ହୋଇ ଯାଇଥିବା ବେଳେ ପୁଣି ଏକ ନୂତନ ମାଷ୍ଟରପ୍ଲାନ କାର୍ଯ୍ୟକାରିତାରେ ବିଳମ୍ବ ହେବା ଜିଲା ବିକାଶ ପ୍ରକ୍ରିୟା କିଭଳି ବାଧାପ୍ରାପ୍ତ ହୋଇଆସୁଛି ତାହା ଏଥିରୁ ଅନୁମାନ କରାଯାଇପାରେ। ଦୀର୍ଘ ୨୧ବର୍ଷରୁ ଊର୍ଦ୍ଧ୍ବ ସମୟଧରି ଜିଲାର ପ୍ରମୁଖ ସମସ୍ୟା ଭାବେ ସ୍ଥାନ ପାଇ ଆସିଥିବା ପାଣିକୋଇଲି-ରିମୁଳି ୨୦ନଂ ଜାତୀୟ ରାଜପଥରେ ଆଜକୁ ୩ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଟୋଲ ଆଦାୟ ସତ୍ତ୍ବେ ରାସ୍ତା ଅସମ୍ପୂର୍ଣ୍ଣ ରହିବା ଏବଂ ରିମୁଳି-ରାଜାମୁଣ୍ଡା ୨୦ନଂ ଜାତୀୟ ରାଜପଥର ୪ଲେନ୍‍ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିବା ଜିଲା ବିକାଶରେ ପ୍ରମୁଖ ଅନ୍ତରାୟ ସୃଷ୍ଟି କରିଛି। ରେଳ ଯୋଗେ କେନ୍ଦୁଝର ଜିଲାରୁ ଖଣିଜସମ୍ପଦ ପରିବହନ କରି ବର୍ଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଉଥିଲେ ହେଁ କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ପ୍ରମୁଖ ଅଞ୍ଚଳକୁ ରେଳ ଯୋଗେ ଯାତ୍ରୀସେବା ନମିଳିବା ଜିଲାବାସୀଙ୍କୁ ରେଳବାଇକ୍ଷେତ୍ରରେ ଚରମ ଅବହେଳା କରାଯାଇ ଆସୁଥିବା ନେଇ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

Comments
Loading...