କଲେଜ ଛାତ୍ରୀଙ୍କୁ ରାସ୍ତାରୁ ଅପହରଣ ଅଭିଯୋଗ, ୪ ଅଟକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳ ରାଜନଗର ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଜଣଙ୍କ ତୁରୁମୁଙ୍ଗା କଲେଜରୁ ସାଇକେଲ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ତାଙ୍କୁ ରାସ୍ତାରୁ ହୁଣ୍ଡାଇ କାରରେ ଆସିଥିବା କିଛି ଯୁବକ ଉଠାଇ ନେଇଛନ୍ତି । ଗୁରୁବାର ଅପରାହ୍ନ ୩ଟାରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଛାତ୍ରୀଜଣଙ୍କର ସାଇକେଲଟି ପଡ଼ିରହିଛି । ଏନେଇ ପୋଲିସକୁ ସୂଚନା ମିଳିବା ପରେ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଜିଲ୍ଲାର ଅନ୍ୟାନ୍ୟ ଥାନାକୁ ସୂଚନା ଦିଆଯାଇଥିଲା। ଏହାପରେ ତୁରୁମୁଙ୍ଗା , ସଦର , ବାରିଆ , ପାଟଣା , ଘଟଗାଁ ପୋଲିସ ଅପହରଣକାରୀଙ୍କ କାରକୁ ଠାବ କରିବା ଉଦ୍ୟମ ଜାରି ରଖିଛନ୍ତି ।

ତେବେ ବିଳମ୍ବିତ ସନ୍ଧ୍ୟାରେ ଅପହରଣ ଘଟଣାରେ ସଂପୃକ୍ତ କାରକୁ ଘଟଗାଁ ପୋଲିସ ପାଟଣା ବ୍ଲକ କେତାଙ୍ଗ ଗାଁ ସୀମାରୁ ଧରିବା ସହ କାର ଚାଳକ ଓ ଅନ୍ୟ ୩ଜଣ ସହଯୋଗୀ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଛି । ଏମାନେ ଅପହୃତା ଛାତ୍ରୀଙ୍କୁ ଚିନାମାଳିପଶି ପଞ୍ଚାୟତ ନୂଆପଡ଼ା ଗ୍ରାମର ଜଣେ ଯୁବକଙ୍କ ଜିମା ଦେଇ ସେଠାରୁ ଫେରୁଥିବା ସମୟରେ ମୁଖ୍ୟ ଅପହର୍ତ୍ତାଙ୍କ ସହଯୋଗୀ ମାନଙ୍କୁ ପୋଲିସ ଧରିଛି । ଅପହରଣରେ ବ୍ୟବହୃତ କାରକୁ ପୁଲିସ ଜବଦ କରିବା ସହ କାର ଚାଳକ ସାନ ମସିଣାବିଲା ଗ୍ରାମର ଜଣେ ଯୁବକ ସହ କେତାଙ୍ଗ ଓ ନୂଆପଡ଼ା ଗ୍ରାମର ୩ ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଛି । ଘଟଗାଁ ଥାନା ଅଧିକାରୀଣୀ ବନ୍ଦନା ପାତ୍ର, ସବଇନ୍ସପେକ୍ଟର ମାନସ ବେହେରା, ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର କୁମାର ଶିଅଳ , ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା, କନେଷ୍ଟବଳ ସୁଶିଲ କୁମାର ମହାନ୍ତ ପ୍ରମୁଖ ନୂଆପଡ଼ା ଗ୍ରାମକୁ ଯାଇ ଅପହରଣ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମରତ ଥିବା ବେଳେ ନୂଆପଡ଼ା ଘଞ୍ଚ କାଜୁ ଜଙ୍ଗଲରେ ଯୁବକ ଜଣଙ୍କ ଛାତ୍ରୀଙ୍କୁ ନେଇ ଲୁଚି ଥିବାରୁ ପୁଲିସ ଅତିରିକ୍ତ ଫୋର୍ସ ମଗାଇ ଜଙ୍ଗଲରେ ସର୍ଚ ଅପରେସନ ଜାରି ରଖିଛି । ରାତି ୯ଟା ଶୁଦ୍ଧା ମୁଖ୍ୟ ଅପହରଣକାରୀ ଓ ଛାତ୍ରୀଙ୍କ ପତ୍ତା ମିଳୁ ନଥିବାରୁ ପ୍ରେମ ସମ୍ପର୍କରୁ ଛାତ୍ରୀଙ୍କୁ ଅପହରଣ କରାଯାଇଥାଏ ବୋଲି ଅଞ୍ଚଳ ତମାମ ଚର୍ଚ୍ଚା ଚାଲିଛି ।

Comments are closed.