ଜାଣିଶୁଣି ଛାଡିଦେଲେ ଗଂଜେଇ ଗାଡି, କେନ୍ଦୁଗୁଡା ଫାଣ୍ଡି ଏସଆଇ ନିଲମ୍ବିତ

ଗୁଣପୁର: ପଦ୍ମପୁର ବ୍ଲକର ଦୁର୍ଗମ ଅଞ୍ଚଳ ପାଲଟିଛି ଗଞ୍ଜେଇ ଚାଷର ପେଣ୍ଠସ୍ଥଳି। ଏଠାକାର ଆଦିବାସୀମାନଙ୍କ ସରଳତାର ସୁଯୋଗତା ନେଇ ମାଫିଆମାନେ ଏହି ବେଆଇନ କାର୍ଯ୍ୟ କରି ବେଶ୍‍ ଲାଭବାନ ହେଉଛନ୍ତି। ଏହି ବେଆଇନ କାର୍ଯ୍ୟରେ ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ଅବକାରୀ, ପୁଲିସ ବିଭାଗର ପରୋକ୍ଷରେ ହାତ ଥିବା ନେଇ ସବୁବେଳେ ଅଭିଯୋଗ ହୋଇଆସୁଛି। ଗତ ୨୮ ତାରିଖରେ ଏକ ଟ୍ରକ ଯୋଗେ ଗଞ୍ଜେଇ ଚାଲଣ ହେଉଥିବା ବେଳେ ପୁଲିସ ଏସଆଇ ନିଜର କର୍ତ୍ତବ୍ୟ ସଠିକ ତୁଲାଇ ନଥିବା ଅଭିଯୋଗରେ ଆଜି ନିଲମ୍ବିତ କରାଯାଇଥିବା ଜଣାପଡିଛି।

ଖବରନେବାରୁ ଜଣାପଡିଛି ଯେ ଗତ ୨୮ ତାରିଖ ଦିନ ଗଜପତି ଜିଲାରୁ ରାୟପୁର ଅଭିମୁଖେ ଏକ ଟ୍ରକରେ ୫ ଶହ ୧୩ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ସେ ସମୟରେ କେନ୍ଦୁଗୁଡା ଫାଣ୍ଡିରେ ଏସଆଇ ଭାବେ ସାଗର ମୁଣ୍ଡ କାର୍ଯ୍ୟରେ ନିୟୋଜିତ ଥିଲେ। ସେ ଉକ୍ତ ଟ୍ରକକୁ ଜାଣିଶୁଣି ଧରିନଥିବା ନେଇ ଅଭିଯୋଗ ହୋଇଥିଲା। ତାପରେ ପଦ୍ମପୁର ଓ କେନ୍ଦୁଗୁଡା ପୁଲିସ ପକ୍ଷରୁ ଉକ୍ତ ଗଞ୍ଜେଇ ଗାଡିକୁ ଖମ୍ବାରୀଗୁଡା ଗ୍ରାମ ନିକଟରେ ଜବତ କରିଥିଲେ। ଜବତ କରି ୩ ଜଣଙ୍କୁ ଗିରଫ କରିବା ସହ ଟ୍ରକ ଜବତ କରିଥିଲେ। କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ଦାୟିତ୍ୱରେ ଥିବା ଶ୍ରୀମୁଣ୍ଡଙ୍କ କାର୍ଯ୍ୟରେ ଅବହେଳା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ଘଟଣାର ପୁଲିସ ବିଭାଗର ତଦନ୍ତ ପରେ ଏସଆଇ ଶ୍ରୀମୁଣ୍ଡଙ୍କ ଅବହେଳା ପଦାକୁ ଆସିଥିଲା। ଘଟଣାର ପ୍ରାଥମିକ ତଦନ୍ତ ପରେ ଆଜି ଶ୍ରୀମୁଣ୍ଡଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ଏନେଇ ଗୁଣପୁର ପୁଲିସ ଏସଡିପିଓ ରାଜକିଶୋର ଦାଶଙ୍କୁ ପଚାରିବାରୁ ଦାୟିତ୍ୱରେ ଅବହେଳା କରିଥିବାରୁ ଶ୍ରୀମୁଣ୍ଡଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି।

Comments
Loading...