୧୬ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ

0

ଢେଙ୍କାନାଳ ସଦର : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ନିକଟରୁ ପୁଲିସ୍‍ କେନ୍ଦୁପତ୍ର ବୋଝେଇ ଏକ ଦଶଚକିଆ ଟ୍ରକ୍‍କୁ ଜବତ କରିଛି। ଟ୍ରକ୍‍ରେ ୬ ଟନ୍‍ରୁ ଅଧିକ କେନ୍ଦୁପତ୍ର ରହିଥିଲା। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଛି। ଜବତ ଟ୍ରକ୍‍ ଓ କେନ୍ଦୁପତ୍ରକୁ ପୁଲିସ୍‍ ବନବିଭାଗକୁ ହସ୍ତାନ୍ତର କରିଛି। ପ୍ରକାଶ ଯେ ଅନୁଗୋଳ ଅଞ୍ଚଳରୁ କେନ୍ଦୁପତ୍ର ବୋଝେଇ ଟ୍ରକ୍‍ ୫୫ ନମ୍ବର ଜାତୀୟ ରାଜପଥ ଦେଇ ପାର ହେଉଥିବା ସଂପର୍କରେ ଗୋବିନ୍ଦପୁର ଫାଣ୍ଡି ପୁଲିସ୍‍ ଆଗୁଆ ସୂଚନା ପାଇଥିଲେ।
ସୂଚନା ଆଧାରରେ ପୁଲିସ୍‍ ଶନିବାର ରାତି ୧୦ଟାରେ ଗୋବିନ୍ଦପୁର ଛକ ହମ୍ପସ୍‍ ନିକଟରେ ଅଟକି ରହି ଆସୁଥିବା ଟ୍ରକ୍‍କୁ ଅଟକାଇଥିଲେ। ପୁଲିସ୍‍କୁ ଦେଖି ଦ୍ରୁତଗତିରେ ଗାଡି ଚଳାଇ ପଳାଇବାକୁ ଚେଷ୍ଟା କରୁଥିଲେ। ପୁଲିସ୍‍ ସେମାନଙ୍କର ପିଛା କରି ବଳଦିଆବନ୍ଧ ନିକଟରେ ଅଟକାଇଥିଲା। ଗାଡିର ଡ୍ରାଇଭର, ହେଲପର ଓ ଅନ୍ୟ କର୍ମଚାରୀ ଦୌଡି ପଳାଇବାକୁ ସକ୍ଷମ ହୋଇଥିବାବେଳେ ପୁଲିସ୍‍ ଗାଡିକୁ ଜବତ କରି ଫାଣ୍ଡିକୁ ନେଇଆସିଥିଲେ। ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ଲେଙ୍କା ଘଟଣା ସଂପର୍କରେ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ନାୟକଙ୍କୁ ସୂଚନା ଦେବାପରେ ସରକାରୀ ବିଧି ମୁତାବକ ବନଖଣ୍ଡ ଅଧିକାରୀଙ୍କୁ କେସ୍‍ ହସ୍ତାନ୍ତର କରାଯାଇଥିଲା। ବନବିଭାଗ ପକ୍ଷରୁ ଢେଙ୍କାନାଳ ସଦର ରେଞ୍ଜର ଫାଣ୍ଡିରେ ପହଞ୍ଚି ଗାଡି ଏବଂ କେନ୍ଦୁପତ୍ରକୁ ନିଜ ହେପାଜତକୁ ନେଇଥିଲେ। ଜବତ ହୋଇଥିବା କେନ୍ଦୁପତ୍ର ୬ ଟନ୍‍ରୁ ଅଧିକ ହେବ ଏବଂ ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜବତ ହୋଇଥିବା ଗାଡିର ନମ୍ବର ହେଉଛି ଓଆର୍‍ ୦୪ ସି ୮୫୨୪। ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ଶ୍ରୀ ଲେଙ୍କା କୁହନ୍ତି ଯେ କେନ୍ଦୁପତ୍ର ବୋଝେଇ ହୋଇ ଆସୁଥିବା ସଂପର୍କରେ ଜନୈକ ବ୍ୟକ୍ତି ଟେଲିଫୋନ୍‍ ଯୋଗେ ସୂଚନା ଦେଇଥିଲେ। ଏହି ଆଧାରରେ ଆମେ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକ୍‍କୁ ଜବତ କରି ରବିବାର ବନବିଭାଗକୁ ହସ୍ତାନ୍ତର କରିଛୁ। ଢେଙ୍କାନାଳ ସଦର ରେଞ୍ଜର ପ୍ରସନ୍ନ କୁମାର ବିଶ୍ୱାଳ କୁହନ୍ତି ଯେ ଜବତ ଟ୍ରକ୍‍ ଓ ଏହି କାରବାରର ମୁଖ୍ୟ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ସଂଗ୍ରହ କରାଯାଉଛି। ଖୁବ୍‍ଶୀଘ୍ର ଚୋରାବେପାରୀଙ୍କୁ ଠାବ କରାଯିବ ବୋଲି ସୂଚନା ଦେଇଛନ୍ତି।

Leave A Reply