ଅସ୍ଥାୟୀ ବନ ଓ କେନ୍ଦୁପତ୍ର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ବଲାଙ୍ଗିର : କେନ୍ଦୁପତ୍ର, ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ୱାଚରଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ବୁଧୁବାର ବଲାଙ୍ଗିର କେନ୍ଦୁପତ୍ର ଡାକ ବଙ୍ଗଳାରେ କମ୍ବୁପାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବଲାଙ୍ଗିର, ପାଟଣାଗଡ, ପଦ୍ମପୁର, ଟିଟିଲାଗଡ, ବୌଦ୍ଧ, ଖରିଆର ଡିଭିଜନର କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗରେ କାର୍ଯ୍ୟରତ ୱାଚର ସଂଘର ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ କୋକିଳ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ରାଜ୍ୟ ସରକାର ଅସ୍ଥାୟୀ ବନ କର୍ମଚାରୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହୋଇଥିଲା।
ଜଙ୍ଗଲ ବିଭାଗରେ ଏବେ ୪ଶହ ଜଣ ୱାଚର ଦୈନିକ ମଜୁରୀ ହିସାବରେ ବର୍ଷ ତମାମ କାମ କରୁଛନ୍ତି । ୧୯୯୭ ମେ ୧୫ ତାରିଖରେ ରାଜ୍ୟ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ୧୦ ବର୍ଷରୁ ଅଧିକ କାମ କରିଥିବା ୱାଚରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି କହିଥିଲେ । ପ୍ରଥମ ପର୍ଯ୍ୟାୟରେ କିଛି ୱାଚରଙ୍କୁ ସାମୟିକ ସୁବିଧାରେ କାର୍ଯ୍ୟରତ ୱାଚରଙ୍କୁ ଅର୍ଥ ବିଭାଗ ୨୦୧୨ ସେପଟେମ୍ବର ୪ ତାରିଖ ବିଜ୍ଞପ୍ତି ସଂଖ୍ୟା ୩୧୭୧୫ଏଫ୍ ଅନୁସାରେ ୧୨ହଜାର ୪ଶହ ଟଙ୍କା ଗ୍ରେଡ ପେ ସ୍ଥିର ହୋଇଥିଲା । ସେହି ହିସାବକୁ ଦେଖିଲେ ବର୍ତ୍ତମାନ ସାମୟିକ ସୁବିଧାରେ କାର୍ଯ୍ୟରତ ୱାଚରଙ୍କ ଦରମା ୨୩ହଜାର ୬ଶହ ଟଙ୍କା ହେବା କଥା। କିନ୍ତୁ ଆଜି ବି ସରକାର ସେମାନଙ୍କୁ ସେହି ପୁରୁଣା ଦରମା ୧୨ହଜାର ୪ଶହ ଟଙ୍କା ଦେଉଛନ୍ତି । ଗତ ବର୍ଷ କେନ୍ଦୁପତ୍ର ଋୁତୁକାଳୀନ କର୍ମଚାରୀ, ୱାଚରମାନଙ୍କ ଦରମା ରାଜ୍ୟ ସରକାର ବର୍ଦ୍ଧିତ କରିଥିବା ବେଳେ ସାମୟିକ ସୁବିଧାରେ ରହିଥିବା ୱାଚରମାନଙ୍କ ଦରମାର ପୂର୍ବ ଭଳି ରହିଛି । ଏ ବିଷୟରେ ଆଲୋଚନା କରାଯାଇ ସାମୟିକ ସୁବିଧାରେ ଥିବା ୱାଚରଙ୍କ ଦରମା ବୃଦ୍ଧି ସହ ସ୍ଥାୟୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଛି । ବୈଠକରେ ସାମୟିକ ସୁବିଧା ବ୍ୟବସ୍ଥାରେ ଥିବା ୱାଚର ସଂଘର ଲୋକନାଥ ବିଶି, ଆନନ୍ଦ ସାହୁ, ନୃପରାଜ ପ୍ରଧାନ, ନୃପମଣି ଥପା, ପ୍ରତାପ ଚନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ବାଗ, ମଣିଲାଲ ମୁଣ୍ଡା, ଗୋବିନ୍ଦ ଭୋଇ, ପୁରନ୍ଦର ଠାକୁର, କୁଞ୍ଜବିହାରୀ ଦେହୁରୀ, ଯୁଗଳ କିଶୋର ବର୍ଗେ, ପ୍ରତାପ ଜେନା, ସୁଶୀଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.