ଚୋରା ଚାଲାଣ ବେଳେ ଟ୍ରେନରୁ କେନ୍ଦୁପତ୍ର, କାଠ ଜବତ କଲା ଆରପିଏଫ

ଟିଟିଲାଗଡ଼ : ଚୋରା ଚାଲାଣ ବେଳେ ଇସ୍ପାତ ଏକ୍ସପ୍ରେସରୁ ବହୁ ପରିମାଣରେ କାଠ ଏବଂ କେନ୍ଦୁପତ୍ର ଜବତ କରିଛି ଆରପିଏଫ । ଆରପିଏଫ ପୋଷ୍ଟ ଅଧିକାରୀ ଏମଏସ କୁମାୱତଙ୍କ ନେତୃତ୍ୱରେ ଟିଟିଲାଗଡ ଏବଂ କେସିଙ୍ଗା ମଧ୍ୟରେ ବ୍ୟାପକ ଚଢାଉ ଜାରି ରହିଥିଲା । ତେବେ ଚଢାଉ ବେଳେ ଟ୍ରେନରୁ ବ୍ୟାପକ ପରିମାଣର  ଜାଳେଣି କାଠ ଏବଂ ଇସ୍ପାତ ଏକ୍ସପ୍ରେସ ଯୋଗେ ଚୋରା ଚାଲାଣ ହେଉଥିବା ୧.୨ କ୍ୱିନ୍ଟାଲ କେନ୍ଦୁପତ୍ର ଜବତ କରି  ଶନିବାର ବନ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ।

ସୂଚନାଯୋଗ୍ୟ ଯେ ବର୍ଷବର୍ଷ ଧରି ଟ୍ରେନ ଯୋଗେ ଚୋରାରେ ଜାଳେଣି କାଠ, ବାଲି, ପଟା ଆଦି ଚାଲାଣ ହେବା ନୀତି ଦିନିଆ ଅଭ୍ୟାସରେ ପରିଣତ ହୋଇଛି । ଅନ୍ୟପକ୍ଷରେ ଏ ଅଂଚଳରେ କେନ୍ଦୁପତ୍ର ସଂଗ୍ରହ ସହ ବିକ୍ରୟ କରି ସରକାର କୋଟିକୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଛନ୍ତି। ଅନେକ ଥର ଟ୍ରେନ ତଥା ବିଭିନ୍ନ ଯାନବାହାନ ଯୋଗେ କେନ୍ଦୁପତ୍ର ଚୋରାଚାଲାଣ ହୋଇଆସିଥିବା ଅଭିଯୋଗ ହୋଇଛି। ଏକଚାଟିଆ ଭାବରେ ସରକାରଙ୍କ କେନ୍ଦୁପତ୍ର ବିଭାଗ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହ କରାଯାଉଥିବା ବେଳେ ଏପରିକି ଗୁଣବତା ନେଇ ଏଅଂଚଳରୁ ବିଭାଗ ପକ୍ଷରୁ କେନ୍ଦୁ ପତ୍ର ବିଦେଶକୁ ମଧ୍ୟ ରପ୍ତାନୀ କରାଯାଇଥାଏ । ଏମିତିରେ ଚୋରା ଚାଲାଣକାରୀ ସକ୍ରୀୟ ରହିବା ନେଇ ସରକାରଙ୍କ ରାଜସ୍ୱ ହାନି ଘଟି ଚାଲିଛି। ଏନେଇ ଆରପିଏଫ ପକ୍ଷରୁ ତିନୋଟି ଭିନ୍ନଭିନ୍ନ ଧରପଗଡରେ ଆରପିଏଫ ଅଧିକାରୀଙ୍କ ସମେତ ଏଏସଆଇ ଏସକେ ଗର୍ଡିଆ, କନଷ୍ଟେବଲ ଅଶ୍ୱିନୀ କୁମାର, କପିଲ ଶର୍ମା, ଅଶୋକ କୁମାର, ଏଲଏସ ଗୁଜ୍ଜର, ଡି ପ୍ରଧାନ, ଏସ ପୁଟେଲ, ବିବି ସାହୁ, ଫିରୋଜ ମେହେର, ମୁନେଶ ସାହୁ ପ୍ରମୁଖ ସାମିଲ ଥିଲେ।

Comments are closed.