କେନ୍ଦ୍ରାପଡ଼ା ଉପରେ ସାରା ରାଜ୍ୟର ନଜର

ଭୁବନେଶ୍ବର : ଗାଁରୁ ସହର ସବୁଠି ନିର୍ବାଚନ ପ୍ରଚାର ଜୋର ଧରିଛି। ଦୁଇ ଦଶନ୍ଧି ଧରି ବିଜେଡିର ଦୁର୍ଗ ରହିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ଏଥର ବିରୋଧୀଙ୍କ ପଦଧ୍ବନି ଶୁଭୁଛି। ଦୁର୍ଗ ରକ୍ଷା ନେଇ ଶାସକ ବିଜେଡି ସମସ୍ତ ରଣନୀତିକୁ ଆପଣେଇ ଥିବାବେଳେ ବିଜେପି, କଂଗ୍ରେସ ବି ପଛରେ ପଡ଼ି ନାହାନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏବେ ଏହି ଲୋକସଭା ଆସନର ସବୁ ବିଧାନସଭା କ୍ଷେତ୍ରରେ ତିନି ରାଜନୈତିକ ଦଳ ନେତା ଓ କର୍ମୀଙ୍କ ଭିଡ଼ ଜମିଛି। ବାଜି ମାରିନେବା ଲକ୍ଷ୍ୟରେ ସମସ୍ତେ ସଂଘର୍ଷରତ ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ଅବଶିଷ୍ଟ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ଭିତରୁ ୪୧ଟି ଆସନ ପାଇଁ ଲଢ଼େଇ ଚାଲିଥିବାବେଳେ ଏ ଲଢ଼େଇରେ ସର୍ବାଗ୍ରେ ରହିଛି ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନ। କାରଣ ଏହି ଆସନଟି ଏବେ ତିନି ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଏଠାରେ ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବିତା ହେବାର ସମ୍ଭାବନା ଜୋର ଧରିଛି। ଦୁଇ ଦୁଇ ଥର କେନ୍ଦ୍ରାପଡ଼ା ଆସନରୁ ବିଜେଡ଼ି ଟିକଟରେ ସାଂସଦ ଭାବେ ଜିତିଥିବା ବୈଜୟନ୍ତ ପଣ୍ଡା ବିଜେଡ଼ି ଛାଡ଼ି ଏଥର ବିଜେପିରୁ ଲଢ଼ୁଥିବାବେଳେ ତାଙ୍କ ସହ ବିଜେଡିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଓଡ଼ିଆ ସିନେ ତାରକା ଅନୁଭବ ମହାନ୍ତି। ସେହିପରି କଂଗ୍ରେସରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ପ୍ରାର୍ଥୀ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ଏବେ କର ବା ମର ପରିସ୍ଥିତି। ବିଜେଡ଼ିର ଦୁର୍ଗ କୁହାଯାଉଥିବା ଏହି ଆସନକୁ ଯେକୌଣସି ମତେ ଅକ୍ତିଆର କରିବାକୁ ଦଳର ନେତାମାନେ ଧୂଅଁାଧାର ପ୍ରଚାର ଚଳାଇ ଥିବାବେଳେ ବୈଜୟନ୍ତ ବି ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି।
କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୭ଟି ବିଧାନସଭା ଆସନ ଭିତରୁ କେବଳ ପାଟକୁରାକୁ ବାଦ ଦେଲେ ଆସନ୍ତା ୨୯ରେ ୬ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ସବୁ ସମ୍ପ୍ରଦାୟର ଭୋଟରଙ୍କୁ ହାତେଇବା ପାଇଁ ତିନି ପ୍ରମୁଖ ଦଳରେ ଚାଲିଛି ପ୍ରତିଯୋଗିତା। କେନ୍ଦ୍ରାପଡ଼ାରେ ୨୦୧୪ରେ ମୋଟ ଭୋଟର ସଂଖ୍ୟା ଥିଲା ୧୫,୫୧,୦୭୦। ୨୦୧୯ରେ ଭୋଟର ସଂଖ୍ୟା ୧୬,୭୧,୩୮୬କୁ ବଢ଼ିଛି।
ଏହି ଲୋକସଭା ଆସନରେ ଲକ୍ଷାଧିକ ସଂଖ୍ୟାଲଘୁ ଓ ବଙ୍ଗ ଭାଷାଭାଷୀ ମତଦାତା ଅଛନ୍ତି। କେନ୍ଦ୍ରାପଡା, ମାହାଙ୍ଗା, ପାଟକୁରା, ସାଲେପୁର, ଆଳି, ରାଜନଗର ବିଧାନସଭା କ୍ଷେତ୍ରରେ ପ୍ରାୟ ଏକ ଲକ୍ଷରୁ ଅଧିକ ସଂଖ୍ୟାଲଘୁ ସଂପ୍ରଦାୟର ମତଦାତା ଥିବା ବେଳେ ରାଜନଗର ଓ ମହାକାଳପଡ଼ା ବିଧାନସଭା କ୍ଷେତ୍ରରେ ପ୍ରାୟ ୫୦ ହଜାର ବଙ୍ଗ ଭାଷାଭାଷୀ ମତଦାତା ଅଛନ୍ତି। ନିର୍ବାଚନରେ ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହେବ।
ବୈଜୟନ୍ତ ଏ ଆସନରୁ ୨୦୧୪ ନିର୍ବାଚନରେ ବିଜେଡ଼ି ଟିକଟରେ ଲଢ଼ି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କଠାରୁ ଦୁଇ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ। ଶ୍ରୀ ନାୟକ ପାଇଥିଲେ ୩ଲକ୍ଷ ୯୨ହଜାର ଭୋଟ। ଗତଥର ଏହି ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଭୋଟ ବିଜେଡି ଓ କଂଗ୍ରେସକୁ ଯାଇଥିବା ନେଇ ରାଜନୀତିକ ବିଶାରଦ ମାନେ କହିଛନ୍ତି। ଏଥର କିନ୍ତୁ ପାଣିପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି। ୨୦୧୪ ନିର୍ବାଚନରେ ଏଠାରେ ଦ୍ବିମୁଖୀ ଲଢ଼େଇରେ ବିଜେଡ଼ି ସହିତ କଂଗ୍ରେସ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା କରୁଥିଲା। ଏହି ନିର୍ବାଚନରେ ବିଜେଡ଼ି ଓ କଂଗ୍ରେସ ସହିତ ସମ୍ମୁଖ ସମରକୁ ଆସିଛି ବିଜେପି। ବିଜେପିରୁ ପ୍ରାର୍ଥୀ ହୋଇଥିବା ବୈଜୟନ୍ତଙ୍କ ସହିତ ବିଜେଡ଼ିର ଅନୁଭବଙ୍କର ସିଧାସଳଖ ଲଢ଼େଇ ହେବ ବୋଲି ମଧ୍ୟ ଅନେକ ଆକଳନ କରୁଛନ୍ତି। ବିଜେଡ଼ି ଓ ବିଜେପି ଲଢ଼େଇ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଗତ ନିର୍ବାଚନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୭ଟି ବିଧାନସଭା ଆସନ ଭିତରୁ ରାଜନଗର, ଆଳି ଓ ସାଲେପୁର ଆଦି ତିନିଟି ଆସନ କଂଗ୍ରେସ ଖାତାକୁ ଚାଲିଯିବା ଫଳରେ କଂଗ୍ରେସ ଭୋଟ ହାର ବଢ଼ିଥିଲା। ତା ଛଡ଼ା ବିଜେପି ସେତେବେଳେ ଏହି ଲୋକସଭା କ୍ଷେତ୍ରରେ ଏତେ ଶକ୍ତିଶାଳୀ ଓ ସଂଗଠିତ ନଥିଲା।
ଏଥର ଚିତ୍ର ବଦଳିଛି। ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା ବିଜେଡ଼ିରୁ ଲଢ଼ୁଥିବା ବୈଜୟନ୍ତ ବିଜେପିରେ ମିଶିବା ପରେ ଏହି ଲୋକସଭା କ୍ଷେତ୍ରରେ ଦଳର ପ୍ରଭାବ ଯଥେଷ୍ଟ ବୃଦ୍ଧି ପାଇଛି। ପ୍ରକାଶ ବେହେରା ଏଥର କଂଗ୍ରେସ ଛାଡ଼ି ସାଲେପୁରରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେପି ମଧ୍ୟ ଏହି ଆସନକୁ ହାତେଇବା ନେଇ ଆଶାବାଦୀ। ପାଟକୁରା ସହିତ ବିଜେପି ସାଲେପୁର ଆସନରୁ ମଧ୍ୟ ଲୋକସଭା ପାଇଁ ଅଧିକ ଭୋଟ ହାତେଇବା ଲକ୍ଷ୍ୟ ରଖିଛି। କିନ୍ତୁ ବିଜେଡ଼ି ମଧ୍ୟ ସାଲେପୁର ଆସନ ନିଜ ସପକ୍ଷରେ ଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛି।
ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ରାଜନଗର, ଆଳିରେ ନିଜ ସ୍ଥିତି ବଜାୟ ରଖିବା ସହ କେନ୍ଦ୍ରାପଡ଼ା ଆସନ ନିଜ ଅକ୍ତିଆରକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି। ଏହି ପ୍ରୟାସର ସୁଫଳ କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଙ୍କୁ ସୁହାଇବ ବୋଲି ଆଲୋଚନା ହେଉଛି।
ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବିଜେପିର ତାରକା ପ୍ରଚାରକମାନଙ୍କର ଘନଘନ ଗସ୍ତ ଏହି ଲୋକସଭା ଆସନରେ ରାଜନୈତିକ ଉଷ୍ମତାକୁ ବୃଦ୍ଧି କରିଛି। ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ତଥା ଜାତୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କୁ ଏହି ଆସନରୁ ଜିତାଇବା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ବ୍ୟୟବହୁଳ ପ୍ରଚାର ଠାରୁ ଆରମ୍ଭ କରି ସମସ୍ତ ରଣନୀତି ଆପଣେଇବା ସହ ଭୋଟରଙ୍କ ଆସ୍ଥା ଜିଣିବା ନେଇ ଦଳ କୌଣସି ସୁଯୋଗ ହାତଛଡ଼ା କରୁନାହିଁ।
ବିଜେପିର ସମସ୍ତ ଆହ୍ବାନ ଓ ରଣନୀତିକୁ ପ୍ରତିହତ କରିବା ପାଇଁ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ରଖିଛି। ଶୁକ୍ରବାର ଠାରୁ ନବୀନ ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତ କରି ସାଧାରଣ ସଭା ଓ ରୋଡ଼ ଶୋରେ ଯୋଗଦେବେ। ସେଠାରେ ରାତ୍ରିଯାପନ କରି ଶନିବାର ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିବେ। ନବୀନଙ୍କର ଏହି ଦୁଇ ଦିନିଆ ଗସ୍ତର ପ୍ରଭାବକୁ ନେଇ ବିଜେଡି ଶିବିର ଖୁବ ଆଶାବାଦୀ ଅଛନ୍ତି। ଏହା ମଧ୍ୟ ଦଳର ସଫଳତା ପାଇଁ ମହତ୍ତ୍ବପୂର୍ଣ୍ଣ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Comments are closed.