ସଂଗରୋଧ କେନ୍ଦ୍ରରେ ପ୍ରସବ କଲେ ପ୍ରବାସୀ

Odia କେନ୍ଦ୍ରାପଡ଼ା/ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଏକ ସଂଗରୋଧ କେନ୍ଦ୍ରରେ ଶୁକ୍ରବାର ଜଣେ ପ୍ରବାସୀ ମହିଳା ପ୍ରସବ କରିଛନ୍ତି। ତାଙ୍କ ନାମ ସବିତା ନାୟକ। ସବିତା ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏହାକୁ ନେଇ ସଂଗରୋଧ କେନ୍ଦ୍ରରେ ଖୁସିର ମାହୋଲ ଖେଳି ଯାଇଛି। ମହାକାଳପଡ଼ା ବିଡିଓ, ସ୍ଥାନୀୟ ସରପଞ୍ଚ ଉଭୟ ମାଆ ଓ ଶିଶୁ କନ୍ୟାର ଚିକିତ୍ସା କରାଇଛନ୍ତି। ଉଭୟ ମା’ ଓ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି।
ସୂଚନା ଅନୁସାରେ, ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ବାହାର ଶୋବଳା ଗ୍ରାମର ଶତୁଘ୍ନ ନାୟକ ଓ ସବିତା ନାୟକ ସୁରତରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସୁରତରେ ସବିତା ଗର୍ଭବତୀ ହୋଇଥିଲେ। ଲକ ଡାଉନ୍‍ ଯୋଗୁ ସେଠାରେ କାମ ମିଳିଲା ନାହିଁ। ଫଳରେ ଉଭୟ ଗତ ୨୭ ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ଉଭୟଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଜୟଚନ୍ଦ୍ରପୁର ପଞ୍ଚାୟତର ବଡ଼ଗାଁ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଗୋଟିଏ ଘରେ ୮ ଜଣ ମହିଳା ରହୁଥିଲେ। ସେହି ସଂଗରୋଧ କେନ୍ଦ୍ରରେ ସବିତା ଓ ଶତ୍ରୁଘ୍ନ ଅଲଗା ଅଲଗା କୋଠରୀରେ ରହୁଥିଲେ।
ଶୁକ୍ରବାର ଭୋର ୪ଟା ୩୦ରେ ସବିତା ପ୍ରସବ ବେଦନା ଅନୁଭବ କରିଥିଲେ। ଫଳରେ ତାଙ୍କ ସ୍ୱାମୀ ସ୍ଥାନୀୟ ସରପଞ୍ଚଙ୍କୁ ଫୋନ କରିଥିଲେ। ହେଲେ ସରପଞ୍ଚ ଫୋନ ଉଠାଇ ନ ଥିଲେ। ଏହାପରେ ସ୍ଥାନୀୟ ଆଶାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ମଧ୍ୟ ଫୋନ ଉଠାଇ ନ ଥିଲେ। ତେଣୁ ସେହି ସଂଗରୋଧ କେନ୍ଦ୍ରରେ ରହୁଥିବା ମହିଳାମାନେ ସବିତାଙ୍କ ପ୍ରସବ କରାଇବା ପାଇଁ ଅଣ୍ଟା ଭିଡିଥିଲେ। କାରଣ ସେତେବେଳକୁ ସବିତା ଅସହ୍ୟ ଯନ୍ତ୍ରଣା ଅନୁଭବ କରି ସାରିଥିଲେ। କିନ୍ତୁ ମେଡିକାଲ ସୁବିଧା ପହଞ୍ଚି ପାରି ନ ଥିଲା। ତେଣୁ ସେହି ମହିଳାମାନେ ସବିତାଙ୍କ ପ୍ରସବ କରାଇଥିଲେ। ସକାଳେ ବିଡିଓ, ସରପଞ୍ଚ ଓ ଏକ ଡାକ୍ତରୀ ଟିମ ସଂଗରୋଧ କେନ୍ଦ୍ରରେ ପହଞ୍ଚିଥିଲା। ହେଲେ ସେତେବେଳକୁ ମହିଳାମାନେ ସୁରକ୍ଷିତ ଭାବେ ସବିତାଙ୍କ ପ୍ରସବ କରାଇ ସାରିଥିଲେ। ଏହାପରେ ବିଡିଓଙ୍କ ନିର୍ଦେଶରେ ମହିଳାଙ୍କୁ ଉକ୍ତ ବ୍ଲକର ବାୟାବାବା ମହାବିଦ୍ୟାଳୟରେ ହୋଇଥିବା ଅସ୍ଥ୍‍ାୟୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ସଂଗରୋଧ କେନ୍ଦ୍ରରେ ଜରୁରୀକାଳୀନ ପରିସ୍ଥିତିରେ କୌଣସି ସୁବିଧା ନ ଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ କେବଳ ଲୋକ ଦେଖାଣିଆ ଭାବେ ସଂଗେରୋଧ କେନ୍ଦ୍ର ଖୋଲାଯାଇଛି। ହେଲେ ଅନ୍ତେବାସୀ କିପରି ସୁରକ୍ଷିତ ରହିବେ ସେ ନେଇ କୌଣସି ବ୍ୟବସ୍ଥା କରାଯାଉନାହିଁ। ସେହିପରି ଜଣେ ଆସନ୍ନ ପ୍ରସବା ସେଠାରେ ରହୁଥିବା ବେଳେ ଆଶା ସେଠାରେ ନ ରହିବା ବ୍ଲକ ପ୍ରଶାସନର ଅପରିମାଣଦର୍ଶୀ କାର୍ଯ୍ୟକୁ ପଦାରେ ପକାଇଛି। ତେଣୁ ସଂପୃକ୍ତ ଆଶା କାହିଁକି ନ ରହିଲେ ସେ ନେଇ ଘଟଣାର ତଦନ୍ତ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Comments are closed.