ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣା : କେନ୍ଦ୍ରାପଡା ଏସପିଙ୍କୁ ମାନବ ଅଧିକାର ଆୟୋଗଙ୍କ ଜବାବ ତଲବ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲାର ଜଣାଶୁଣା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ମାନବ ଅଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି । ଏହି ମାମଲାରେ ଜବାବ ରଖିବାକୁ କମିଶନ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ୧ ତାରିଖରେ ରଞ୍ଜନଙ୍କ ମୃତଦେହ ମାର୍ଶାଘାଇ ଥାନା ଅନ୍ତର୍ଗତ ବରୁହାଁ ରାସ୍ତାକଡରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ରଞ୍ଜନଙ୍କୁ କିଛି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ତାଙ୍କ ଉପରେ ମଟର ସାଇକେଲ୍ ପକାଇ ଚାଲିଯାଇଥିଲେ । ରଞ୍ଜନଙ୍କ ଭିଣୋଇ ବଳରାମ ଦାସ ଅଭିଯୋଗ କରିବା ପରେ ପୁଲିସ୍ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲା । କିନ୍ତୁ ଏହା ପରେ ପୁଲିସ୍ କୌଣସି ପ୍ରକାର ତଦନ୍ତ ଆରମ୍ଭ କରିନାହିଁ କିମ୍ବା କାହାକୁ ଗିରଫ କରିନାହିଁ । ତେଣୁ ଏହାକୁ ନେଇ ସମଗ୍ର ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଦୁର୍ନିତି, ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ, ଛତୁଆ ଦୁର୍ନିତି, ବିଜୁ ପକ୍କାଘର ନିର୍ମାଣରେ ଦୁର୍ନିତି ଆଦି ଖୁଲାସା କରିବା ସହ ରଞ୍ଜନ ବିଭିନ୍ନ ସମୟରେ ଜିଲ୍ଲାପାଳ, ଭିଜିଲାନ୍ସ ଓ ଲୋକାୟୁକ୍ତଙ୍କ ନିକଟରେ କେସ୍ କରିଥିଲେ । ଦୁର୍ନିତିର ପର୍ଦ୍ଦାଫାସ୍ ଯୋଗୁଁ ତାଙ୍କ ଜୀବନ ପ୍ରତି ସବୁବେଳେ ବିପଦ ଥିଲା । ଏ ସମ୍ପର୍କରେ ସେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ରଞ୍ଜନଙ୍କୁ ହତ୍ୟା ଧମକ ଦିଆଯାଇଥିବା ବିଷୟରେ ସେ ପାଟକୁରା ଥାନାରେ ଗତ ୧୧.୧୨.୨୦୧୯ରେ ଅଭିଯୋଗ କରିଥିଲେ । ଯେଉଁଦିନ ତାଙ୍କୁ ହତ୍ୟା କରାଯାଇଥିଲା, ସେଦିନ ସେ ଘରେ ନଥିବା ବେଳେ ସଂଜୟ ରାଉତ ନାମକ ଜଣେ ଯୁବକ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ଚୋରି କରିନେଇଥିବା ସେ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କର କୌଣସି ଏତଲା ଉପରେ କାର୍ଯାନୁଷ୍ଠାନ ହୋଇନଥିଲା । ତାଙ୍କ ହତ୍ୟା ପରେ ତାଙ୍କ ଭିଣୋଇ ଦେଇଥିବା ଏଫଆଇଆର୍ ଆଧାରରେ ପୁଲିସ୍ କେବଳ କେସ୍ ରୁଜୁ କରି(କେସ୍ ନଂ – ୨୪/୨୦୨୦) ଚୁପ୍ ବସିଛି । ରଞ୍ଜନ ଜଣେ ଦଳିତ ଶ୍ରେଣୀର ଜାଣି ମଧ୍ୟ ଅନୁସୂଚିତ ଜାତି, ଜନଜାତି (ନିର୍ଯାତନା ନିବାରଣ) ଆଇନ, ୧୯୮୯ ଆଧାରରେ ଦଫା ଲଗାଇନାହିଁ । ରଞ୍ଜନ ଦ୍ୱାରା ପୂର୍ବରୁ ଦାୟର ହୋଇଥିବା ଦୁଇଟି ଏତଲା ଓ ବର୍ତ୍ତମାନର ହତ୍ୟାକାଣ୍ଡ ଏତଲାକୁ ଏକତ୍ର କରି ତୁରନ୍ତ ତଦନ୍ତ, ପୁଲିସ୍ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟେକ୍ଷ ନିରୀକ୍ଷଣରେ ଏକ ତଦନ୍ତ ଟିମ୍ ଗଠନ, ଅନୁସୂଚିତ ଜାତି, ଜନଜାତି (ନିର୍ଯାତନା ନିବାରଣ) ଆଇନ, ୧୯୮୯ ଆଧାରରେ ଦଫା ଲଗାଇବା, ତାଙ୍କ ସୁରକ୍ଷା ଦେଇନଥିବା ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ, ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ଦାବି କରି ସୂଚନା ଅଧିକାର କର୍ମୀମାନେ ଓଏଚଆରସିରେ ପିଟିସନ୍ ଦାଖଲ କରିଥିଲେ । ସଂଯୁକ୍ତା ପାଣିଗ୍ରାହୀ, ପ୍ରଦୀପ ପ୍ରଧାନ, ଦେବେଶ ଦାଶ ଓ ଜିଆଉଦ୍ଦିନ ପ୍ରମୁଖ ସୂଚନା ଅଧିକାର କର୍ମୀମାନେ ଏହି ମାମଲାରେ ଆବେଦନକାରୀ ଅଛନ୍ତି । ମାର୍ଚ୍ଚ ୨ତାରିଖ ସୁଦ୍ଧା କେନ୍ଦ୍ରାପଡା ଏସପି ରିପୋର୍ଟ ଦାଖଲ ପାଇଁ କୁହାଯାଇଛି । ସେହିଦିନ ମାମଲାର ଶୁଣାଣି ହେବ ।

Comments are closed.