ଆଜି ତୃତୀୟ ଦିନରେ ଗଡ଼ିବ ବ୍ରହ୍ମ ତାଳଧ୍ୱଜ ରଥ; ସେବା କରିବାକୁ ରଥ ଉପରେ ରହିବେ ୨୭ ସେବାୟତ

କେନ୍ଦ୍ରାପଡ଼ା: ଆଜି ତୃତୀୟ ଦିନରେ ତୁଳସୀ କ୍ଷେତ୍ରରେ ଟଣାଯିବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ । ରୀତିନୀତି ଅନୁସାରେ ଶ୍ରୀକ୍ଷେତ୍ରର ରଥଟଣା ଓ ତୁଳସୀ କ୍ଷେତ୍ରର ରଥଟଣା ମଧ୍ୟରେ ଭିନ୍ନତା ରହିଛି । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜନ୍ମବେଦୀକୁ ବିଜେ କରିସାରିଥିବା ବେଳେ ତୁଳସୀ କ୍ଷେତ୍ରରେ ଶ୍ରୀଜୀଉ ମାନେ ରଥାରୂଢ଼ ​‌ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ୧୨ଟାରେ ବଳଦେବଜୀଉଙ୍କ ରଥଟଣା ହେବ । ଦୁଇ ଦିନ ଧରି ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଉପସ୍ଥିତ ରହିବାରୁ ଭକ୍ତମାନେ ରଥାରୂଢ଼ ଠାକୁର ମାନଙ୍କୁ ଦର୍ଶ କରିବାରେ ବଞ୍ଚିତ ହୋଇଥିଲେ । ଯାହାଦ୍ୱାରା ବିଭିନ୍ନ ମହଲରେ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରାଯାଇଥିଲା । ତେଣୁ ପ୍ରଶାସନ ୩ୟ ଦିନରେ ୨୭ଜଣ ସେବାୟତ ରଥ ଉପରେ ସେବା କରିବେ ବୋଲି ନିଷ୍ପତ୍ତି ନେଇଛି । ଏହାଠାରୁ ଅଧିକ ସେବାୟତ ରଥ ଉପରେ ଚଢ଼ିଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।

ଗତକାଲି (ଶନିବାର) ସକାଳୁ ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ରଥଦାଣ୍ଡରେ ଲାଗି ରହିଥିଲା । କିନ୍ତୁ ଭକ୍ତମାନଙ୍କୁ ନିରାଶ କରିଥିଲେ ସେବାୟତ ମାନେ । ରଥ ଉପରେ ସେବାରେ ନିୟୋଜିତ ନଥିବା ଶହ ଶହ ସେବାୟତ ରଥ ଉପରେ ଚଢିଥିଲେ । ରଥାରୂଢ ଠାକୁରମାନଙ୍କ ସମ୍ମୁଖରେ ସେମାନେ ଛିଡାହୋଇ ଠାକୁରଙ୍କୁ ଅବରୋଧ କରିଥିଲେ । ଫଳରେ ଭକ୍ତମାନେ ତଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ପାରି ନଥିଲେ । ଯେଉଁ ଭକ୍ତମାନେ ସେବାୟତମାନଙ୍କୁ ଦକ୍ଷିଣା ଦେଇଥିଲେ ସେମାନଙ୍କୁ ସେବାୟତମାନେ ରଥ ଉପରେ ଚଢାଇଥିଲେ ବୋଲି ଅଭିଯୋଗ ଆସିଥିଲା ।

ହେଲେ ଯେଉଁ ଭକ୍ତମାନେ ଦକ୍ଷିଣା ଦେବାକୁ ସମର୍ଥ ନ ଥିଲେ ସେମାନେ ରଥାରୂଢ ଠାକୁରଙ୍କ ଦର୍ଶନ କରିପାରି ନଥିଲେ । ଫଳରେ ସେମାନେ ନିରାଶ ହୋଇ ଫେରିଥିଲେ । ସେବାୟତମାନଙ୍କ ଏଭଳି ମନୋଭାବକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ସେବାୟତମାନେ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣନ୍ତୁ ବୋଲି ଅନେକ ଭକ୍ତ କହିଥିଲେ । କାରଣ ଭକ୍ତମାନେ ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାକୁ ଆସିଛନ୍ତି ସେବାୟତମାନଙ୍କୁ ନୁହେଁ ବୋଲି ଭକ୍ତମାନେ କହିଥିଲେ । ହେଲେ ରଥଦାଣ୍ଡରେ ଭକ୍ତମାନେ ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରି ପାରି ନ ଥିଲେ । ଘଟଣା ସ୍ଥଳରେ ଜିଲାପାଳ, ଏସ୍‌ପି, ଉପଜିଲାପାଳ, ନିର୍ବାହୀ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ମଧ୍ୟ ନୀରବ ରହିଥିଲେ । ସତେ ଯେପରି ସେବାୟତମାନେ ପ୍ରଶାସନ ଉପରେ ଫତୁଆ ଜାରି କରିଛନ୍ତି । ତେଣୁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନୀରବଦ୍ରଷ୍ଟା ସାଜିଥିଲା । ପ୍ରଶାସନିକ ଅଧିକାରୀଙ୍କ ଏପରି ମନୋଭାବକୁ ବୁଦ୍ଧିଜୀବୀମାନେ ସମାଲୋଚନା କରିଥିଲେ ।

ସେହିପରି ରଥଦାଣ୍ଡ ନିର୍ମାଣରେ ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି । ଯାହାଦ୍ୱାରା ରଥ ଗଡିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଅପରାହ୍ଣ ୩ଟା ବେଳେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିଲା । ହେଲେ ଭକ୍ତମାନଙ୍କ ରଥଟାଣିବାର ଇଚ୍ଛାରେ ଟିକେ ହେଲେ ଭଟ୍ଟା ପଡି ନଥିଲା । ଭକ୍ତମାନେ ବର୍ଷାରେ ଓଦା ହୋଇ ରଥ ଟାଣିଥିଲେ । ଭକ୍ତଙ୍କ ମୁହଁରୁ ଭକ୍ତିଭାବ ବେଶ ବାରି ହୋଇ ପଡିଥିଲା । ଭକ୍ତମାନେ ରଥ ଦେଖିବା ସହିତ ରଥଦାଣ୍ଡରେ ପଡିଥିବା ମେଳା ବୁଲିବାର ମଜା ନେଇଥିଲେ । ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆମୋଦ ପ୍ରମୋଦ ବ୍ୟବସ୍ଥା ହୋଇଛି । ଫଳରେ ପିଲାମାନେ ବେଶ ମଜା ନେଇଥିଲେ । ଭକ୍ତମାନେ ମଧ୍ୟ ବିଭିନ୍ନ ପ୍ରକାରର ଘର କରଣା ଜିନିଷ କିଣିଥିଲେ ।

 

 

Comments are closed.