କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି: ସ୍ତ୍ରୀ ବର୍ଷାଙ୍କ ଅଭିଯୋଗ ଉପରେ ରଖିଲେ ଉତ୍ତର, କହିଲେ ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳିବ

କଟକ: ଗତ କିଛି ଦିନ ହେଲା ​‌ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଅଡୁଆ ବଢିବାରେ ଲାଗିଛି। ଏହି କ୍ରମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଏକ ମାମଲାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କଟକ ଏସଡିଜିଏମ୍ କୋର୍ଟରେ ହାଜର ହୋଇଛନ୍ତି। ସେଠାରେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ କରିଥିବା ମାମଲା ଉପରେ ଉତ୍ତର ରଖିଛନ୍ତି ଅନୁଭବ ମହାନ୍ତି, କହିଛନ୍ତି ଯେ ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳୁ। ଏତିକି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଏହା ସହିତ ଓକିଲଙ୍କ ଜରିଆରେ ଅନୁଭବ କୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ କରିଥିବା ଏକ ପାରିବାରିକ ହିଂସା ମାମଲାରେ ନିଜ ପକ୍ଷ ରଖିବା ପାଇଁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଆଜି କୋର୍ଟରେ ହାଜର ହୋଇଛନ୍ତି। ସେ ତାଙ୍କ ଓକିଲ ଜରିଆରେ କୋର୍ଟରେ ନିଜ ଜବାବ ଦାଖଲ କରିଛନ୍ତି।

କୋର୍ଟରୁ ବାହାରକୁ ଆସିବା ପରେ ଅନୁଭବ ମହାନ୍ତି କହିଛନ୍ତି ଯେ ଆଇନ ବ୍ୟବସ୍ଥା ଉପରେ ମୋର ଗଭୀର ବିଶ୍ୱାସ ରହିଛି । ମୁଁ ମୋ ପକ୍ଷ ରଖିଛି । ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ । ମୋର ବିଶ୍ୱାସ ରହିଛି, ମୋତେ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଅନୁଭବ ମହାନ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବେଶ କିଛି ଦିନ ହେବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ଏ ସଂକ୍ରାନ୍ତରେ ମାମଲା କୋର୍ଟରେ ଚାଲିଥିବା ବେଳେ କଥା ଯାଇ ଛାଡପତ୍ର ଦେବା ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବା ପାଇଁ ସ୍ବାମୀ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଛନ୍ତି। ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ନିଜ ଭରଣପୋଷଣ ପାଇଁ କଟକ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି।

Comments are closed.