ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଖୁବ୍ ଶୀଘ୍ର

ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ ବୈଜୟନ୍ତ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜରିଆରେ ସେ ଏହି ସୂଚନା ଦେବା ସହ ବହୁ ଦଶନ୍ଧିର ସ୍ବପ୍ନ ପୂରଣ ହେଲା ବୋଲି କହିଛନ୍ତି। ଏଥିସହ ପ୍ରଥମେ ଏହି ଲାଇନରେ ମାଲ ଗାଡ଼ି ଚାଲିବାକୁ ଥିବା ବେଳେ ଆଗାମୀ ଦିନରେ ଯାତ୍ରୀବାହୀ ଟ୍ରେନ ମଧ୍ୟ ଚଳାଚଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୧୯୯୬ ମସିହାରେ ପୂର୍ବ-ତଟ ରେଳର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ୧୯୯୯ ମସିହାରେ ତତ୍କାଳୀନ କେନ୍ଦ୍ର ରେଳ ମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୪ ସୁଦ୍ଧା ଏହା ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରକଳ୍ପ କାର୍ଯ୍ୟ ହୋଇ ପାରୁନଥିଲା ଓ କାଗଜକଲମରେ ଅଟକି ଯାଇଥିଲା।

ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଦିଆଯାଇଥିବା ସୂଚନା ଅନୁସାରେ  ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ ନିରନ୍ତର ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିବା ସହ ଅଧିକାରୀମାନଙ୍କ ସହ ସମୀକ୍ଷା କରି କାର୍ୟ୍ୟକୁ ଆଗେଇ ନେଇଥିଲେ। ସହଭାଗିତା ଭିତ୍ତିରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ରେଳ ବିକାଶ ନିଗମ ଲିମିଟେଡ (ଆର.ଭି.ଏନ.ଏଲ), ଓଡ଼ିଶା ସରକାର, ଓଡ଼ିଶା ଖଣି ନିଗମ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଦିଆଯାଇଥିଲା। ଆନୁମାନିକ ୨୦୮୩.୯ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ଆବଶ୍ୟକ କିଛି ଜମି ଜଙ୍ଗଲ କ୍ଷେତ୍ରରେ ପଡୁଥିବାରୁ ତାହାର ଅଧିଗ୍ରହଣ ଦୀର୍ଘ ଦିନ ଧରି ପଡିରହିଥିଲା। ଏଥିପାଇଁ ଶ୍ରୀ ପଣ୍ଡା ୨୦୧୪, ଅକ୍ଟୋବର ୧୪ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକରଙ୍କୁ ସାକ୍ଷାତ କରି ପ୍ରଥମ ପର୍ୟ୍ୟାୟ ପରିବେଶ ମଞ୍ଜୁରି ଆଣିଥିଲେ। ଏହାପରେ ୨୦୧୫ ଅଗଷ୍ଟ ୨୭ରେ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ୟ୍ୟ ତ୍ବରାନ୍ବିତ କରିବା ଲାଗି ଓ ରେଳ ବଜେଟରେ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ଦେବା ଲାଗି ଦାବି କରିଥିଲେ। ପରେ ଦ୍ବିତୀୟ ପର୍ୟ୍ୟାୟ ପରିବେଶ ମଞ୍ଜୁରି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରିଥିଲେ। ରାଜ୍ୟଠାରୁ କେନ୍ଦ୍ର ପର୍ୟ୍ୟନ୍ତ ନିୟମିତ ସମୀକ୍ଷା ଯୋଗୁ ପ୍ରକଳ୍ପ କାର୍ୟ୍ୟ ତ୍ୱରାନ୍ୱିତ ହେଲା ଓ ୨୦୧୭ ଅଗଷ୍ଟ ସୁଦ୍ଧା ଏଥିରେ ୧୧୩୦.୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହାପରେ ଏହି ପ୍ରକଳ୍ପକୁ ଶେଷ କରିବା ଲାଗି ଶ୍ରୀଯୁକ୍ତ ପଣ୍ଡା ଗତବର୍ଷ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ।

ହରିଦାସପୁର-ପାରାଦୀପ ରେଳ ଲାଇନ ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଯାହା ୩ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁରକୁ ସଂଯୋଗ କରୁଛି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ପ୍ରୋତ୍ସାହନ ପାଇଁ ଏହି କାମଟି ଶେଷ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଉଭୟ କେନ୍ଦ୍ରାପଡ଼ାବାସୀ ଏବଂ ତାଙ୍କ ପାଇଁ ଏହା ବହୁତ ସନ୍ତୋଷଜନକ ଓ ବ୍ୟକ୍ତିଗତ ଭାବେ ସେ ଏହି ପ୍ରକଳ୍ପ ପାଇଁ ବହୁତ ପରିଶ୍ରମ କରିଥିବାରୁ ଉକ୍ତ ଖବରରେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି। ଆଗାମୀ ଦିନରେ ଏହି ରେଳ ଲାଇନକୁ ସମ୍ପ୍ରସାରଣ କରାଯିବା ଲାଗି ମଧ୍ୟ ଉଦ୍ୟମ ହେବା ଉଚିତ ବୋଲି ସେ କହିଛନ୍ତି। ଏହି ଖବର ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି।

Comments are closed.