ଅଣ-ବିଜେପି ମୁଖ୍ୟମନ୍ତ୍ରୀଙ୍କୁ କେଜରିୱାଲଙ୍କ ଚିଠି 

0

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିଦ୍ୟୁତ୍‍ ଆଇନରେ ସଂଶୋଧନ ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଯୋଜନା ବିରୋଧରେ ଆମ୍‍ ଆଦ୍‍ମୀ ପାର୍ଟି (ଆପ) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଦେଶର ସମସ୍ତ ଅଣବିଜେପି ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ କୋଣଠେସା କରିବାକୁ ଏହା କେଜରିୱାଲଙ୍କ ଏକ ଉଦ୍ୟମ ବୋଲି ଆଲୋଚନା ହେଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶର ଏନ୍‍. ଚନ୍ଦ୍ରବାବୁ ନାଇଡୁ, ତେଲଙ୍ଗାନାର କେ. ଚନ୍ଦ୍ରଶେଖର ରାଓ, କେରଳର ପିନାରାୟି ବିଜୟନ, କର୍ଣ୍ଣାଟକର ଏଚ୍‍.ଡି କୁମାରସ୍ୱାମୀ, ପୁଡୁଚେରୀ ଭି. ନାରାୟଣସାମୀ, ତାମିଲନାଡ଼ୁର ଇ. କେ. ପାଲାନିସ୍ୱାମୀ, ପଞ୍ଜାବର ଅମରିନ୍ଦର ସିଂହ, ମିଜୋରାମର ଲାଲ ଥାନହୱଲା ଏବଂ ସିକିମର ପୱନ ଚାମଲିଂଙ୍କୁ ଚିଠି ଲେଖି ଇଲେକ୍‍ଟ୍ରିସିଟି ଆଇନ ୨୦୦୩ର ସଂଶୋଧନ ଉପରେ ସେମାନଙ୍କ ମତାମତ ଲୋଡିଛନ୍ତି। ସେ ଦର୍ଶାଇଛନ୍ତି ଯେ ପ୍ରସ୍ତାବିତ ସଂଶୋଧନ ଦ୍ୱାରା ରାଜ୍ୟ ସରକାରଙ୍କୁ ବାଦ ଦେଇ କେନ୍ଦ୍ର ସରକାର ବୈଦ୍ୟୁତିକଶକ୍ତି କ୍ଷେତ୍ରର ସମସ୍ତ କ୍ଷମତା ନିଜ ହାତକୁ ନେବାକୁ ଯୋଜନା କରିଛନ୍ତି। ଏଭଳି ହେଲେ ତୁରନ୍ତ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏପରିକି କେନ୍ଦ୍ର ସରକାର କେତେକ ନିିର୍ଦିଷ୍ଟ କମ୍ପାନୀକୁ ଲାଭବାନ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିଦ୍ୟୁତ୍‍ କ୍ଷେତ୍ରକୁ ଘରୋଇକରଣ କରିବାକୁ ଯୋଜନା ରଖିଥିବା ମନେହେଉଛି। ଏହି କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବା ଦ୍ୱାରା କେନ୍ଦ୍ର ନିଜର ଏହି ଉଦ୍ଦେଶ୍ୟ ପୂରଣ କରିପାରିବ। ଏଣୁ ଏହି ସଂଶୋଧିତ ବିଲ୍‍ ଯେଭଳି ସଂସଦରେ ପାରିତ ନ ହୁଏ ସେଥିଲାଗି ଏକଜୁଟ ହେବାକୁ କେଜରିୱାଲ ଅଣବିଜେପି ମୁଖମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଉଲ୍ଲେଖ ଯେ ବିଦ୍ୟୁତ୍‍ ଆଇନ-୨୦୦୩ରେ ସଂଶୋଧନ କରାଗଲେ ଶକ୍ତିକ୍ଷେତ୍ରରେ ରାଜ୍ୟଗୁଡିକ କ୍ଷମତାହୀନ ହୋଇପଡିବେ ବୋଲି କେଜରିୱାଲ ପୂର୍ବରୁ ଦର୍ଶାଇଥିଲେ।

Leave A Reply