କରୋନା ପାଇଁ କେଜରିୱାଲଙ୍କ ବଡ ଘୋଷଣା: ମାଗଣାରେ ରାସନ, ପେନସନ୍ ଦ୍ୱିଗୁଣିତ

ବାସହୀନଙ୍କୁ ଆଶ୍ରୟସ୍ଥଳରେ ମାଗଣାରେ ମଧ୍ୟାନ୍ନ ଓ ରାତ୍ରି ଭୋଜନ

ନୂଆଦିଲ୍ଲୀ : ଭାରତରେ ମହାରାଷ୍ଟ୍ର ଏବଂ କେରଳ ପରେ ଦିଲ୍ଲୀରେ ସର୍ବାଧିକ ଲୋକ କରୋନା ସଂକ୍ରମିତ ଅଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ପ୍ରକୋପ ବଢୁଥିବାର ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦିଲ୍ଲୀରେ ବର୍ତ୍ତମାନ ପରିସ୍ଥିତିରେ କୌଣସିସ୍ଥାନରେ ୫ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଯଦି ଗୋଟିଏ ସ୍ଥାନରେ ପାଞ୍ଚ ଜଣ ଲୋକ ଏକାଠି ହୋଇଥିଲେ ମଧ୍ୟ ସମସ୍ତେ ଗୋଟିଏ ମିଟର ଦୂରତା ରଖିବା ଆବଶ୍ୟକ।


ଏଥି ସହିତ କରୋନା ପାଇଁ ଦିଲ୍ଲୀରେ ଶ୍ରମିକଶ୍ରେଣୀର ଲୋକମାନେ କୌଣସି କାମ ପାଉନାହାନ୍ତି ଏଣୁ ଯେଉଁମାନେ ଦିଲ୍ଲୀରେ ସରକାରୀ ରାସନର ଲାଭ ପାଉଛନ୍ତି ସେମାନେ ରାସନ ମାଗଣାରେ ପାଇବେ। ପୂର୍ବରୁ ୫ କିଲୋ ରାସନ ସାମଗ୍ରୀ ମିଳୁଥିବାବେଳେ ବର୍ତ୍ତମାନ ୭.୫ କିଲୋଗ୍ରାମ ରାସନ ମିଳିବ। ଦିଲ୍ଲୀରେ ମାଗଣା ରାସନ ସାମଗ୍ରୀର ଲାଭ ପ୍ରାୟ ୭୨ ଲକ୍ଷ ପାଇବେ ବୋଲି କହିଛନ୍ତି କେଜରିୱାଲ। ଏପ୍ରିଲ ମାସର ରାସନ ଏଥର ୩୦ ମାର୍ଚ୍ଚରେ ଦିଆଯିବ । ରାସନ ଦୋକାନରେ ଲୋକମାନେ ପରସ୍ପରଠାରୁ ୧ ମିଟର ଦୂରତା ରଖିବାକୁ କୁହାଯାଇଛି ।

ଏହା ସହ ଦିଲ୍ଲୀରେ ବିଧବା, ବୟସ୍କ ଓ ଭିନ୍ନକ୍ଷମ ମାନଙ୍କ ଭତ୍ତାକୁ ଦୁଇଗୁଣା ବଢାଯାଇଛି। ତେବେ ଦିଲ୍ଲୀରେ ଲକ୍ ଡାଉନ୍ ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଯଦି ଆବଶ୍ୟକ ପଡେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଲକ ଡାଉନ୍ ଲାଗୁ ହେବ। ଯଦି କୌଣସି ଲୋକଙ୍କୁ ଆଇସୋଲେସନରେ ରହିବାକୁ ପସନ୍ଦ ଆସୁନାହିଁ । ସେମାନେ ଘରୋଇ ହୋଟେଲରେ ଯାଇ ରହିପାରିବେ । ଲୋକଙ୍କ ସୁବିଧା ପାଇଁ ହୋଟେଲରୁ ଜିଏସଟିକୁ ମାଗଣା କରାଯାଇଛି ବୋଲି କେଜରିୱାଲ କହିଛନ୍ତି। ଏଥି ସହିତ ଦିଲ୍ଲୀରେ ବାସହୀନ ମାନଙ୍କ ପାଇଁ ଆଶ୍ରୟସ୍ଥଳୀମାନଙ୍କରେ ମଧ୍ୟାନ୍ନ ଓ ରାତ୍ରୀରେ ମାଗଣାରେ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି।

Comments are closed.