କେଦାରନାଥ ବନ୍ୟାରେ ହଜିଥିବା ଝିଅ ୫ବର୍ଷ ପରେ ଫେରିଲା

0

ଜାମ୍ମୁ : ଚଳଚ୍ଚିତ୍ରର କାହାଣୀ ପରି ମନେ ହୋଇପାରେ; କିନ୍ତୁ ଏହାର ପ୍ରତି ପାଦରେ ବାସ୍ତବତା ଭରି ରହିଛି। ଏ ହେଉଛି ଚଞ୍ଚଲ ନାମ୍ନୀ ଯୁବତୀଙ୍କ ରୋମାଞ୍ଚଭରା କାହାଣୀ। ୨୦୧୩ରେ ଯାହାଙ୍କୁ ଘର-ପରିବାର ଲୋକେ ସବୁଦିନ ପାଇଁ ହଜାଇ ଦେଇଛନ୍ତି ବୋଲି ଧରି ନେଇଥିଲେ; ସେ ଦୀର୍ଘ ୫ବର୍ଷ ବ୍ୟବଧାନରେ ଘରକୁ ଫେରିଛନ୍ତି। ଚଞ୍ଚଲଙ୍କ ପାଞ୍ଚ ବର୍ଷର ଯାତ୍ରା ଆଲିଗଡ଼ରୁ କେଦାରନାଥ, ଜାମ୍ମୁ ହୋଇ ପୁଣି ଆଲିଗଡ଼ରେ ଶେଷ ହୋଇଛି। ସ୍ବାଭାବିକ ଭାବେ ଚଞ୍ଚଲଙ୍କ ପ୍ରତ୍ୟାବର୍ତ୍ତନ ପରିବାରରେ ଖୁସିର ଲହରି ଖେଳାଇଦେଇଛି।
୨୦୧୩ରେ କେଦାରନାଥରେ ହୋଇଥିବା ଭୟଙ୍କର ବନ୍ୟାରେ କାହିଁ କେତେ ଲୋକ ମରି-ହଜିଗଲେ। ପରିବାରଠାରୁ ବିଚ୍ଛିନ୍ନ ହୋଇ ଅନେକ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ବୁଲିଲେ; ଏବେ ବି ବୁଲୁଛନ୍ତି। ସେମିତି ଭାବରେ ଚଞ୍ଚଲ ଏହି ପ୍ରୟଳୟଙ୍କରୀ ବନ୍ୟା ବିଭୀଷିକାରେ ପରିବାରଠାରୁ ଅଲଗା ହୋଇଯାଇଥିଲେ। ବାପା-ମାଆଙ୍କ ସହିତ ଆଲିଗଡ଼ର ବାନାଦେବୀ ଅଞ୍ଚଳରୁ କେଦାରନାଥ ଦର୍ଶନ ପାଇଁ ଯାଇଥିବା ଚଞ୍ଚଲଙ୍କୁ ସେତେବେଳେ ହୋଇଥିଲା ମାତ୍ର ୧୨ ବର୍ଷ। ଘରେ ଥିଲେ ଜେଜେ ବାପା ହରିଶ ଚାନ୍ଦ ଓ ଜେଜେ ମାଆ ଶକୁନ୍ତଳା ଦେବୀ। ବନ୍ୟାରେ ସେ ବାପା-ମାଆଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ। ବାପା ରାଜେଶଙ୍କର ଖୋଜଖବର ଅଦ୍ୟାବଧି ମିଳି ନ ଥିଲାବେଳେ କିଛି ମାସ ପରେ ମାଆ ଏକା ଘରକୁ ଫେରିବାରେ ସକ୍ଷମ ହୋଇଥିଲେ। ବାପା ଆଉ ଇହଜଗତରେ ନ ଥିବା ଧରିନିଆଯାଇଥିବାବେଳେ ଝିଅ ଚଞ୍ଚଲର ମଧ୍ୟ ସମଦଶା ହୋଇଥିବା ସମସ୍ତେ ଭାବିଥିଲେ; କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର। ଚଞ୍ଚଲ ବନ୍ୟାରୁ କୌଣସିମତେ ବଞ୍ଚିଯାଇଥିଲେ ସତ; କିନ୍ତୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ଏଣେତେଣେ ବୁଲୁଥିଲା​‌େ​‌ବଳେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାରକରି ଜାମ୍ମୁର ଏକ ଅନାଥାଶ୍ରମରେ ଛାଡ଼ିଥିଲେ। ସେଠାରେ ସେ ଅନେକ ସମୟରେ ଆଲିଗଡ଼ ସହରର ବର୍ଣ୍ଣନା କରୁଥିବା କର୍ତ୍ତୃପକ୍ଷ ଲକ୍ଷ୍ୟ କରିଥିଲେ। ଯତ୍ନ ଓ ଚିକିତ୍ସା ବଳରେ ତାଙ୍କ ମାନସିକ ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଲା। ଅନାଥାଶ୍ରମ କର୍ତ୍ତୃପକ୍ଷ ସ୍ଥାନୀୟ ଚାଇଲ୍ଡ ଲାଇନ୍‌ ମାଧ୍ୟମରେ ଆଲିଗଡ଼ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ଚାଇଲ୍ଡ ଲାଇନ୍‌ ନିର୍ଦେଶକ ଜ୍ଞାନେନ୍ଦ୍ର ମିଶ୍ର କୌଣସିମତେ ଆଲିଗଡ଼ ବିଧାୟକ ସଞ୍ଜୀବ ରାଜାଙ୍କ ସହିତ ଯୋଗାଯୋଗ କରିବାରେ ସଫଳ ହେଲେ।
ସଞ୍ଜୀବଙ୍କ ସହଯୋଗରେ ସ୍ଥାନୀୟ ପୁଲିସ ମାଧ୍ୟମରେ ଚଞ୍ଚଲଙ୍କ ପରିବାର ସହିତ ଯୋଗାଯୋଗ ସମ୍ଭବ ହେଲା। ସୋମବାର ଜ୍ଞାନେନ୍ଦ୍ର ଚଞ୍ଚଲଙ୍କୁ ଧରି ତାଙ୍କ ପୈତୃକ ଘ‌େ​‌ର ପହଞ୍ଚିବା ପରେ ତାଙ୍କ ଜେଜେ ବାପା, ଜେଜେ ମାଆ ଓ ମାଆଙ୍କ ଖୁସି ଅବର୍ଣ୍ଣନୀୟ ଥିଲା। ସମଗ୍ର ଅଞ୍ଚଳରେ ମଧ୍ୟ କୌତୂହଳ ସୃଷ୍ଟି ହୋଇଥିଲା। ସୌଭାଗ୍ୟର ବିଷୟ ହେଉଛି, ଚଞ୍ଚଲ ଏବେ ନିଜର ହଜାଇଥିବା ସ୍ମୃତିଶକ୍ତି କ୍ରମଶଃ ଫେରିପାଉଛନ୍ତି।

Leave A Reply