ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ସଚିବ କେଟି ମିଲର କରୋନା ପଜିଟିଭ

ସମାଜ ପୋର୍ଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ପ୍ରେସ ସଚିବ କେଟି ମିଲର କରୋନା ସଂକ୍ରମିତ ହୋଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଜଣେ ଦକ୍ଷ ମହିଳା ଯେ ବହୁତ ଦିନ ହେବ ସୁସ୍ଥ ଥିଲେ ମଧ୍ୟ ଏବେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ମିଲର ତାଙ୍କ ସହ ଯୋଗାଯୋଗ କରିନାହାଁନ୍ତି କିନ୍ତୁ ସେ ପେନ୍ସଙ୍କ ସହ ଯୋଗାଯୋଗରେ ଅଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ପୂର୍ବାନୁମାନ କରିଛନ୍ତି ଯେ କରୋନା ଭାଇରସ୍ ମହାମାରୀରେ ୯୫ ହଜାର ଆମେରିକୀୟ ମୃତ୍ୟୁବରଣ କରିବେ।
ଜନ୍ ହପକିନ୍ସ ୟୁନିଭରସିଟି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆମେରିକାରେ ଏହି ସଂକ୍ରମଣ ଯୋଗୁଁ ୭୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। କଂଗ୍ରେସର ରିପବ୍ଲିକାନ୍ ସଦସ୍ୟଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି ଯେ ନିରବଛିନ ପ୍ରୟାସ ଏହି ସଂକ୍ରମଣରେ ମୃତ୍ୟୁ ସଂଖ୍ୟାକୁ ସୀମିତ କରିବାରେ ସାହାଯ୍ୟ କରିଛି କିନ୍ତୁ ଏହା ପାଖାପାଖି ୯୫ ହଜାର ଲୋକଙ୍କ ଜୀବନ ନେବାର ସମ୍ଭାବନା ରହିଛି।