କତରବଗା କୋଭିଡ୍‍ କେୟାର୍‍ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର କତରବଗା ଗ୍ରାମରେ ଥିବା ହାଇସ୍କୁଲକୁ କୋଭିଡ୍‍ କେୟାର୍‍ କେନ୍ଦ୍ରରେ ପରିଣତ କରାଯାଇଛି। ଏହି କେନ୍ଦ୍ରରେ ବାହାରୁ ଆସୁଥିବା ଲୋକଙ୍କୁ ରଖାଯାଉଛି। କିନ୍ତୁ ଏହି କେନ୍ଦ୍ରରେ ରଖାଯାଉଥିବା ଲୋକେ କୋଭିଡ୍‍-୧୯ ନିୟମକୁ ଉଲ୍ଲଂଘନ କରି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଗ୍ରାମବାସୀ ବ୍ଳକ୍‍ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, କୋଭିଡ୍‍ କେୟାର୍‍ କେନ୍ଦ୍ର ଭିତରୁ ବାହାରକୁ ବାହାରି ଗୁପ୍‍ଚୁପ୍‍ ଖାଇବା ସହିତ ସେଲୁନ୍‍ ଯାଇ ଚୁଟି କାଟୁଛନ୍ତି। କୁଚିଆ ମଦ ଦୋକାନକୁ ଯାଇ ମଦ ପିଉଛନ୍ତି। ଲକ୍‍ ଡାଉନ୍‍, ସଟ୍‍ ଡାଉନରେ ମଧ୍ୟ ଦୋକାନ ବଜାର ଚାଲିଛି। ଗତ ୨୯ ତାରିଖ ସନ୍ଧ୍ୟାରେ କୋଭିଡ୍‍ କେୟାର କେନ୍ଦ୍ରର ଜନୈକ ବ୍ୟକ୍ତି କୁଚିଆ ମଦ ଦୋକାନକୁ ଯାଇଥିବା ବେଳେ ଧରା ପଡିଥିଲେ। କୋଭିଡ୍‍ କେୟାର କେନ୍ଦ୍ରଟି ଗ୍ରାମକୁ ସଂଲଗ୍ନ କରି ରହିଥିବାରୁ କେନ୍ଦ୍ରରେ ରଖା ଯାଉଥିବା ବ୍ୟକ୍ତିମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ ଦ୍ୱାରା ଆମ ଗ୍ରାମରେ କରୋନା ସଂକ୍ରମଣ ବ୍ୟାପିବାର ଭୟ ରହୁଛି। ଏଣୁ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଆଶୁ ପ୍ରତିକାର କରାଯାଉ ବୋଲି ଦାବୀ କରାଯାଇଛି।

Comments are closed.