ପୁଣି ଯନନୀ ଯନ୍ତ୍ରଣା; ଅଟୋରେ ପ୍ରସବ କଲେ ମହିଳା

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ପୁଣି ଯନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ଆସିବା ପୂର୍ବରୁ ପ୍ରସବ ବେଦନାରେ ଛଟପଟ ହେଉଥିବାରୁ ପରିବାର ଲୋକେ ଗ୍ରାମର ଏକ ଅଟୋ ଯୋଗେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ସମୟରେ ଅଧାବାଟରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଅଟୋରେ ଦୁଇଟି ଯମଜ ଛୁଆ ଜନ୍ମ ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ମା’ ଓ ଛୁଆଙ୍କୁ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ତଳ କୋଡିଙ୍ଗା ଗ୍ରାମରେ।

ସୂଚନା ଅନୁସାରେ, ଆଜି ଉକ୍ତ ଗ୍ରାମର ମନହର ମୁଦୁଲିଙ୍କ ସ୍ତ୍ରୀ ସୁବତି ମୁଦୁଲି ପ୍ରସବ ବେଦନାରେ ଛଟପଟ ହେଉଥିବାବେଳେ ଆଶା ଦିଦି ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ତେବେ ପ୍ରସବ ବେଦନାରେ ମହିଳା ଜଣଙ୍କ ଛଟପଟ ହେବାରୁ ଏବଂ ଆମ୍ବୁଲାନସ ପହଞ୍ଚିବା ବିଳମ୍ବ ହେବାରୁ ତାଙ୍କୁ ଅଟୋ ଯୋଗେ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣୁଥିଲେ। ଟିକିରି ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚିବା ପୂର୍ବରୁ ଅଟୋରେ ପ୍ରସବ ହୋଇଥିଲା। ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମା’ ଏବଂ ଶିଶୁଙ୍କୁ ତୁରନ୍ତ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଯାଇଥିଲା। ସେଠାରେ ଗୋଟିଏ ଛୁଆର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିବା ସୂଚନା ଦେଇଛନ୍ତି।

Comments are closed.