କଶ୍ମୀରରେ ପଥର ମାଡ଼ରେ ପର୍ଯ୍ୟଟକ ମୃତ, ୨ ଆହତ

0

ଶ୍ରୀନଗର: କଶ୍ମୀରରେ ପଥର ମାଡ଼ରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ୨୨ ବର୍ଷ ବୟସ୍କ ଚେନ୍ନାଇ ଆର ଥିରୁମନି ବୋଲି ଜଣାପଡ଼ିଛି। ଆହତ ଦୁଇଜଣ ମଧ୍ୟରେ ତାଙ୍କ ମା’ ଓ ପରିବାରର ଅନ୍ୟ ଜଣେ ସଦସ୍ୟ ଅଛନ୍ତି। ପରିବାର ସହିତ ସେ କଶ୍ମୀର ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ରବିବାର ହିଜବୁ୍‍ଲ୍‍ ସଂଗଠନର ୫ ଆତଙ୍କବାଦୀ ନିହତ ଓ ୫ଜଣ ପଥର ଆକ୍ରମଣକାରୀଙ୍କ ମୃତ୍ୟୁର ପ୍ରତିବାଦରେ ଏଭଳି ପଥରମାଡ଼ ହୋଇଥିବା ଜଣାପଡ଼ିଛି।
ଶ୍ରୀନଗର-ଗୁଲମାର୍ଗ ଜାତୀୟ ରାଜପଥ ପାଶ୍ୱର୍ ନର୍‍ବାଲ୍‍ଠାରେ ଥିରୁମନିଙ୍କ ପରିବାର ଯାଉଥିବା କାର ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଥିରୁମନିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଶେର ଏ କଶ୍ମୀର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍ସ ହସ୍ପିଟାଲ୍‍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ଡାକ୍ତରଖାନା ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। ୫ ଦିନ ପୂର୍ବରୁ ମଧ୍ୟ କଶ୍ମୀରରେ ପର୍ଯ୍ୟଟକମାନେ ପଥର ଆକ୍ରମଣକାରୀଙ୍କ ଶିକାର ହୋଇଥିଲେ। ଏଥିରେ ମୁମ୍ବଇର ରିତୁ ଦେବୀ ଓ କଶ୍ମୀରର ସାବରିନା ନାମକ ଦୁଇ ଜଣ ଯୁବତୀ ଗୁରୁତର ହୋଇଛନ୍ତି।

Leave A Reply