ସମ୍ବିଧାନର ଧାରା ୩୫-କ ବୈଧତାକୁ ଚାଲେଞ୍ଜ, କାଶ୍ମୀରରେ ଦୁଇଦିନିଆ ବନ୍ଦ ପାଳନ

0

ଶ୍ରୀନଗର : ସମ୍ବିଧାନର ଧାରା ୩୫-କ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନକୁ ବିରୋଧ କରିଛନ୍ତି କାଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ। ଏଥିପାଇଁ ରବିବାର କାଶ୍ମୀରରେ ବନ୍ଦ ପାଳନ କରାଯାଇଛି। ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକର ଆହ୍ୱାନକ୍ରମେ ହୋଇଥିବା ବନ୍ଦପାଳନ ଶାନ୍ତିପୂର୍ଣ୍ଣ ରହିଥିବା ଜଣାଯାଇଛି। ସୋମବାର ମଧ୍ୟ ଅନୁରୂପ ବନ୍ଦ ପାଳନ କରାଯିବାକୁ ଆହ୍ୱାନ ଦିଆଯାଇଛି। ବନ୍ଦ ସମୟରେ ଦୋକାନ ବଜାର, ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣାଯାଇଛି। ଧାରା ୩୫-କ ର ବୈଧତାକୁ ଚାଲେଞ୍ଜ କରି ଦାୟର ହୋଇଥିବା ପିଟିସନଗୁଡିକ ଉପରେ ସୋମବାର ଅଗଷ୍ଟ ୬ ତାରିଖ ଠାରୁ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିବେ। ଆରଏସଏସ ଅନୁବନ୍ଧିତ ଏନଜିଓ ‘ଉଇ ଦ ସିଟିଜେନ’ ପିଟିସନ ଦାୟରକାରୀଙ୍କ ମଧ୍ୟରେ ଅନ୍ୟତମ। ତେବେ ଏହି ଶୁଣାଣିକୁ ସ୍ଥଗିତ ରଖିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟକୁ ପତ୍ର ଲେଖିଛନ୍ତି। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପିଟିସନର ଶୁଣାଣି ସ୍ଥଗିତ ରଖିବା ଲାଗି ରାଜ୍ୟ ସରକାର କହିଛନ୍ତି। ଏହି ପିଟିସନକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଛି। ଜାମ୍ମୁ-କାଶ୍ମୀରରେ ସକ୍ରିୟ ରହିଥିବା ରାଜନୈତିକ ଦଳ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ଏହାକୁ ବିରୋଧ କରୁଥିବାବେଳେ ବିଜେପି ଏହା ଉପରେ ଚର୍ଚ୍ଚା ପାଇଁ ଆହ୍ୱାନ ଦେଇଛି। ସମ୍ବିଧାନର ଧାରା ୩୫-କ ଜାମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଓ କ୍ଷମତା ଦେଇଛି। ଏହି ଧାରା ଅନୁଯାୟୀ ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ କେହି ଜାମ୍ମୁ-କାଶ୍ମୀରରେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ ନାହିଁ କି ରାଜ୍ୟ ବାହାରର ଲୋକ ଏଠାରେ ନିଯୁକ୍ତି ପାଇପାରିବେ ନାହିଁ। ୧୯୫୪ ମେ ୧୪ରେ ରାଷ୍ଟ୍ରପତିଙ୍କ ନିର୍ଦେଶକ୍ରମେ ଏହି ଧାରାକୁ ସମ୍ବିଧାନରେ ସ୍ଥାନୀତ କରାଯାଇଛି।

Leave A Reply