ଲୁଟ୍‍ ହୋଇଥିବା ସୁନାହାରକୁ ଉଦ୍ଧାର କରି ବୃଦ୍ଧାଙ୍କୁ ଫେରାଇଲା ପୁଲିସ

କାଶୀପୁର: ଜଣେ ବୃଦ୍ଧାଙ୍କ ଲୁଟ୍‍ ହୋଇଥିବା ସୁନା ମାଳିକୁ ଉଦ୍ଧାର କରିବା ପରେ ତାଙ୍କୁ ହସ୍ତାନ୍ତର କରିଛି ଅଣ୍ଡିରାକଞ୍ଚ ଥାନା ପୁଲିସ।

ସୂଚନା ମୁତାବକ, ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଣ୍ଡିରାକଞ୍ଚ୍ ଥାନା ଅଧୀନସ୍ଥ କୁପାଖାଲ ଗ୍ରାମରେ ଗତ ୨୦ ତାରିଖ ଦିନ ଜଣେ ବୃଦ୍ଧା ମହିଳା ଅମ୍ବିକା ନାକଏ (୭୦) ଘର ସଫା କରୁଥିଲେ। ଏହି ସମୟରେ ଏକ ଅଜଣା ଯୁବକ ଘର ଭିତରକୁ ପଶି ବୃଦ୍ଧା ମହିଳା ଜଣଙ୍କ ବେକରେ ପିନ୍ଧିଥିବା ୧୦ ଗ୍ରାମ ସୁନାର ନିର୍ମିତ ହାରକୁ ହଠାତ୍ ଝିକି ନେବା ସହ ସେହି ଘରର ବାହର ପଟରୁ କବାଟ ଦେଇ ଦେଇଥିଲା। ଏନେଇ ବୃଦ୍ଧା ମହିଳା ଜଣଙ୍କ ଅଣ୍ଡିରାକଞ୍ଚ ଥାନାରେ ଏତଲା ଦେବା ପରେ ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ଛାନ ଭିନ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଣ୍ଡିରାକଞ୍ଚ ଗ୍ରାମର ଅର୍ଜୁନ ଝୋଡୀଆ(୨୨)କୁ ଗିରଫ କରିବା ସହ ସୁନାହାରକୁ ପୁଲିସ ଉଦ୍ଧାର କରି ବୃଦ୍ଧାଙ୍କୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ଅର୍ଜୁନ ଝୋଡୀଆକୁ ପୁଲିସ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିଛି। ଏନେଇ ରାୟଗଡା ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

Comments are closed.