ବୁଲେରୋ-ବାଇକ ଧକ୍କାରେ ଆଇ ନାତି ମୃତ, ସହାୟତା ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

କାଶୀପୁର:ରାୟଗଡା ଜିଲା କାଶୀପୁର ବ୍ଲକ ଗଦଗଦା ନିକଟସ୍ଥ ଅଙ୍ଗଦ କଲୋନି ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଇ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହାତ ହୋଇଛନ୍ତି। କାଶୀପୁର ଠାରୁ ନିଜ ଘର ଅଭିମୁଖେ ବାଇକ ଯୋଗେ ଫେରୁଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ବୁଲେରୋ ବାଇକକୁ ଧକ୍କା ଦେଇଥିଲା। ଏହାପରେ ବୁଲେରୋ ତଳେ ବାଇକଟି ରହିଯିବାରୁ ତାହା ରାସ୍ତାରେ ଘୋସାଡି ହୋଇ ରାସ୍ତା ତଳେ ଥିବା ଏକ ଖାଲରେ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

 

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଅନ୍ୟ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ଅପର ପକ୍ଷରେ ମୃତ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ପକ୍ଷରୁ କାଶୀପୁର ଥାନା ସମ୍ମୁଖରେ ମୃତଦେହ ରଖି ଥାନା ଘେରାଉ କରାଯାଇଥିଲା। ଏଥିସହିତ ଲୋକେ କାଶୀପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। କାଶୀପୁର ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Comments are closed.