ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ଶ୍ରମିକ ମୃତ

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ ପାଞ୍ଚାଳି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଇଖାନା ଟାଙ୍କିରେ ତିନିଜଣ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହେବା ଫଳରେ ସେମାନେ ମୃତ୍ୟୁବରଣ କରିଛନ୍ତି । ଅନ୍ୟଜଣେ ଗୁରୁତର ଭାବେ ଆହାତ ହେବାରୁ ତାଙ୍କୁ ଟିକିରି ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସେ ସମୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ମୃତକମାନେ ହେଲେ, ପାଞ୍ଚାଲି ଗ୍ରାମର ସୀମା ମାଝି, କଂସାରିଗୁଡା ଗାଁର ରୁନା ମାଝି ଓ ପଣସପଦର ଗ୍ରାମର ଗୋବିନ୍ଦ କୁମ୍ଭାର। ଘଟଣା ସଂମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଓ ଟିକିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ସୂଚନା ମୁତାବକ, ପାଞ୍ଚାଲି ଗ୍ରାମର ଦୀନବନ୍ଧୁ ଗରଡିଆଙ୍କ ନୂତନ ଭାବେ ଘର ଓ ପାଇଖାନା ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାବେଳେ ଉକ୍ତ କାମରେ ଚାରିଜଣ ଶ୍ରମିକ ନିୟୋଜିତ ଥିଲେ ।

ପାଇଖାନା ଟାଙ୍କିଟି ଗତ ଦୁଇମାସ ପୂର୍ବରୁ ତିଆରି ହୋଇ ବନ୍ଦ ରହିଥିଲା । ଆଜି ଘରମାଲିକ ଦୀନବନ୍ଧୁ ଗରଡ଼ିଆ ଅପରାହ୍ଣ ସମୟରେ ବନ୍ଦ ଥିବା ପାଇଖାନା ଟାଙ୍କି ସଫାକରିବାକୁ ଡାକିଥିଲେ। ତେବେ ପାଇଖାନା ଟାଙ୍କି ସଫା କରୁଥିବା ସମୟରେ ଶ୍ରମିକମାନେ ଶ୍ବାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ଜଣେ ଭିତରେ ପଶିବା ପରେ ଅଚେତ ହୋଇ ପଡିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ପରେ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ଜୀବନ ଚାଲିଯାଇଛି। ତେବେ ସାଥି ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟଜଣେ ଶ୍ରମିକ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡିଥିଲେ। ଏନେଈ ରାଜାରାମ ଟାକିରିଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ତୁରନ୍ତ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ପ୍ରାଥମିକ ଚିକିତ୍ସା ପରେ ରାଜାରାମ ଟାକିରି ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ ଟିକିରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି । ଘଟଣା ପରେ ଗ୍ରାମରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି। ଖବରପାଇ ଟିକିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ମୃତକଙ୍କ ପୋରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.