ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

କାଶୀପୁର : ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ନୂଆସାହିରେ ଏକ ଅଭାବନୀୟ ଘଟଣା ଘଟିଛି।  ଜଣେ ବ୍ୟକ୍ତି ବ୍ଲେଡ଼ ଦ୍ୱାରା ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ନୂଆସହିର ରାଧନା ମାଝୀ ବୋଲି ଜଣାପଡ଼ିଛି।

 ସୂଚନା ଅନୁଯାୟୀ, ରାଧନା ମାଝି (୫୦) ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କୌଣସି କାରଣରୁ ଘରେ କେହିନଥିବା ସମୟରେ ଏକ ଧାରୁଆ ବ୍ଲେଡ଼ ଯୋଗେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ ଆରମ୍ଭ କରିଥିଲେ । ରାଧନା ମାଝୀ ଛଟପଟ ହେଉଥିବା ଦେଖି ପରିବାରଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉ ନ ଥିବାରୁ ଡାକ୍ତର ଶ୍ରୀ ଆରଆର ରାଓ  ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିବା ନିମନ୍ତେ ପରାମର୍ଶ ଦେଇଥିଲେ। କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ପୀଡିତ ପରିବାର ଲୋକଙ୍କୁ ୧୦୮ ଆମ୍ବୁଲେନ୍ସ ମିଳିପାରିନଥିଲା । କାଶୀପୁର ଠାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ୭୫ କିମି ଦୂରତା ହୋଇଥିବାବେଳେ ଆମ୍ବୁଲାନ୍ସ ସେବା ପାଇପାରୁ ନ ଥିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା ।ପରିବାରଲୋକେ ଏକ ଘରୋଇ ଗାଡି ଭଡା କରି ଚିକିତ୍ସା ପାଇଁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ଜଣାପଡ଼ିଛି।

Comments are closed.