ସଟ୍‍ଡାଉନ୍‍ରେ ବେଧଡକ ବାଲି ଚୋରାଚାଲାଣ

କସରଦା : ନିଆଳି ଥାନା ଅଞ୍ଚଳରେ ସଟ୍‍ଡାଉନ ନିୟମକୁ କଡାକଡି ପାଳନ କରାଯାଇଛି। ଏହି ନିୟମରୁ ବାଦ ପଡିନି ଦ୍ୱୀପାଞ୍ଚଳର ସମସ୍ତ ୬ଟି ପଞ୍ଚାୟତ। ସବୁ ଛକ ବଜାରରେ ଏହି ନିୟମକୁ ପାଳନ କରି ଛକ ବଜାର ବନ୍ଦ ରଖିବା ସହ ଜନସାଧାରଣ ରାସ୍ତାଘାଟକୁ ବାହାରି ନଥିଲେ। କିନ୍ତୁ ଏହି ନିୟମରୁ ବାଦ ପଡିଛନ୍ତି ବାଲି ବ୍ୟବସାୟୀ। ସିଠାଳୋ ପଞ୍ଚାୟତ ଶାସନପଦାଠାରେ ଥିବା କଟକ ଜିଲାର ନୂଆ ଦେବୀନଦୀର ପଠାରୁ ଜଗସିଂହପୁର ଆଳିପିଙ୍ଗଳ ଘାଟଦେଇ ବାଲି ଚୋରା ଚାଲାଣ ହେଉଛି। ଏନେଇ ସ୍ଥାନୀୟ ପଞ୍ଚାୟତବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଗତ ଦୁଇଦିନ ତଳେ ନିଆଳି ତହସିଲଦାର ବିଦ୍ୟାଧର ପତି ଓ ସିଠାଳୋ ଆରଆଇ ଏହି ଘାଟକୁ ଯାଇଥିବା ବେଳେ ତହସିଲଦାରଙ୍କ ଗାଡିକୁ ଦେଖି ନିଆଳି ପଟୁ ଉଠାଉଥିବା ଗାଡିଗୁଡିକ ଉଠି ପଳାଇଥିଲେ। ସଟ୍‍ଡାଉନ୍‍ର ମଉକାରେ ବାଲି ବେଧଡକ ଚୋରାଚାଲାଣ ହୋଇଥିବା ଅଭିଯୋଗ ହୁଏ। କୌତୁହଳର ବିଷୟ ଜଗତସିଂହପୁର ପୁଲିସ୍‍ ଜିଲା ସୀମା ଏହି ଆଳିପିଙ୍ଗଳ ପୋଲ ପ୍ରବେଶଦ୍ୱାରରେ ଯାନବାହନ ଗୁଡିକୁ ତଦାରଖ କରୁଥିବା ବେଳେ ଏହି ବାଲି ଗାଡିଗୁଡିକ ତାଙ୍କ ପାର୍ଶ୍ବ ଦେଇ ଯାତାୟତ କରୁଥିଲେ ସୁଦ୍ଧା ସେମାନେ ଉକ୍ତ ଗାଡିଗୁଡିକୁ ଦେଖି ନ ଦେଖିଲା ପରି ଛାଡି ଦିଆଯାଇଛି। ନିଆଳି ତହସିଲଦାର ଶ୍ରୀ ପତିଙ୍କୁ ପଚାରିବାରେ ଜଗତସିଂହପୁର ତହସିଲଦାରଙ୍କୁ ସେ ଲିଖିତ ଭାବରେ ଜଣାଇବେ ବୋଲି କହିଥିଲେ।

Comments are closed.