କରୱା ଚୌଥରେ ପ୍ରେମିକ ନ ପହଞ୍ଚିବାରୁ ଜୀବନ ହାରିଲେ ଛାତ୍ରୀ

0

ଅମୃତସର: କରୱା ଚୌଥରେ ବ୍ରତ ଭାଙ୍ଗିବାକୁ ପ୍ରେମିକ ନ ଆସିବାରୁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଅଭାବନୀୟ ଘଟଣା ପଞ୍ଜାବର ଅମୃତସରରେ ଘଟିଛି । ଅମୃତସରର ଖାଲସ କଲେଜରେ କମ୍ପ୍ୟୁଟର ସାଇନ୍ସରେ ଏମଏସସି ପଢୁଥିବା ଜଣେ ଛାତ୍ରୀ ତାଙ୍କ ପ୍ରେମିକ ପାଇଁ କରୱା ଚୌଥରେ ବ୍ରତ କରିଥିଲେ । ଛାତ୍ରୀ ଜଣଙ୍କ ଅତି ନିଷ୍ଠାର ସହ ସାରା ଦିନ ଭୋକ ଉପାସରେ ରହି ପ୍ରେମିକଙ୍କ ଦୀର୍ଘାୟୁ କାମନା କରି ବ୍ରତ କରିଥିଲେ । କିନ୍ତୁ ସଂଧ୍ୟାରେ ଚନ୍ଦ୍ର ଦିଶିବା ପରେ ବ୍ରତ ଭାଙ୍ଗିବାକୁ ପ୍ରେମିକ ନ ପହଞ୍ଚିବାରୁ ଶେଷରେ ଛାତ୍ରୀ ଜଣଙ୍କ ଜୀବନ ହାରିବାର ପନ୍ଥା ବାଛି ନେଇଥିଲେ ।

ପୁଲିସ ସୂଚନା ଅନୁଯାୟୀ, ଗୁରଦାସପୁର ଜିଲା କାଦିୟାଁ ଅଞ୍ଚଳର ଜଣେ ଯୁବତୀ ଖାଲସ କଲେଜର ହଷ୍ଟେଲରେ ରହି ପଢୁଥିଲେ । ଅମୃତସର ପଟ୍ଟୀରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଶନିବାର ସେ ତାଙ୍କ ପ୍ରେମିକଙ୍କ ପାଇଁ କରୱା ଚୌଥ ବ୍ରତ ରଖିଥିଲେ । ବିଳମ୍ବତ ରାତି ପର୍ଯ୍ୟନ୍ତ ଛତ୍ରୀ ଜଣଙ୍କ ହଷ୍ଟେଲ କବାଟ ନ ଖୋଲିବାରୁ ଅନ୍ୟ ଛାତ୍ରୀମାନେ ସୁପରଟେଣ୍ଡକୁ ଜଣାଇଥିଲେ । ଏନେଇ ସନ୍ଦେହ ଉପୁଜିବାରୁ ସୁପରଟେଣ୍ଡ ପୁଲିସକୁ ଖବର କରିଥିଲେ । ପୁଲିସ ଉପସ୍ଥିତିରେ କବାଟ ଖୋଲା ଯିବା ପରେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ବ୍ୟବଚ୍ଛେଦ କରିବା ପରେ ଛାତ୍ରୀଙ୍କ ପରିବାରୁ ହସ୍ତାନ୍ତର କରିଛନ୍ତି । ମୃତ ଛାତ୍ରୀଙ୍କ ପ୍ରେମିକ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି ।

Leave A Reply